କଣ୍ଟିପାଳ/ଆନନ୍ଦପୁର,୨୨ା୭(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ ଶାଳବଣି ପଞ୍ଚାୟତର ବାଲିପଶିଠାରେ ଘାଗରା ନାଳ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ନଦୀ ଜଳରେ ଭାସିଯାଇଛି। ଶୁକ୍ରବାର ରାତିରେ ଘାଗରା ନାଳରେ ଅଧିକ ଜଳ ପ୍ରବାହିତ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବାଲିପଶିର ଟିକରସାହି ଲୋକମାନଙ୍କ ଯାତାୟାତରେ ବ୍ୟାହତ ସୃଷ୍ଟି ହୋଇଛି। ଏପରିକି ଶନିବାର ବାଲିପଶି ପ୍ରାଥମିକ ବିଦ୍ୟାଳୟକୁ ଟିକରସାହିର କୁନି କୁନି ପାଲିମାନେ ପାଠ ପଢ଼ିବାକୁ ଆସି ନ ପାରି ଘରକୁ ବାହୁଡିଛନ୍ତି। ପୂର୍ବରୁ ଘାଗରା ନାଳ ଉପରେ ବାଉଁଶରେ ପୋଲ ନିର୍ମାଣ କରି ଟିକରସାହିର ୩୦ରୁ ୪୦ ପରିବାର ଯାତାୟାତ କରିଥାନ୍ତି। ଏପରିକି ଏହି ପୋଲ ମାଧ୍ୟମରେ ଶାଳବଣି ପଞ୍ଚାୟତ ଓ ବାଉଁଶଗଡ଼ ପଞ୍ଚାୟତ ମଧ୍ୟରେ ଯୋଗାଯୋଗର ମାଧ୍ୟମ ରହିଛି। ଗତବର୍ଷ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଘାଗରା ନାଳ ଉପରେ ହ୍ୟୁମ୍ପାଇପ୍ ପକାଯାଇ ଅସ୍ଥାୟୀ ପୋଲ ପ୍ରସ୍ତୁତ କରାଯାଇଥିଲା। ବର୍ଷା ଫଳରେ ନାଳରେ ଅଧିକ ପରିମାଣରେ ଜଳ ପ୍ରବାହିତ ହେବାରୁ ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଘଟଣା ଦିଗରେ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଟିକରସାହି ଲୋକମାନେ ଦାବି କରିଛନ୍ତି।