ବର୍ଷେ ପରେ ବି ଘାଇ ମରାମତି ହେଲାନି

ଲୋଇସିଂହା, ୨୮।୬(ଡି.ଏନ.ଏ.)  ଗତବର୍ଷ ଲଗାଣ ବର୍ଷାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଅଗଲାପାଲି ଗ୍ରାମସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଖଜୁରି କଟାଁ ହୁଡାରେ ଘାଇ ହୋଇଥିଲା। ସେତେବେଳେ କଟାଁର ପାଣି ମାଡିଯାଇ ଚାଷଜମି ବାଲିଚର ହେବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ସମ୍ପ୍ରତି ବର୍ଷାଋତୁ ଆସିଯାଇଥିଲେ ସୁଦ୍ଧା ମୁକୁଳା ଘାଇ ଅଦ୍ୟାବଧି ମରାମତି କରାଯାଇ ନାହିଁ। ବର୍ଷା ଜଳ ସଂରକ୍ଷଣ ହୋଇ ପାରୁ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାମତେ, ଅଗଲାପାଲି ଗାଁର ତଳମୁଣ୍ଡରେ କ୍ଷୁଦ୍ର ଜଳସଚେତନ ପ୍ରକଳ୍ପ ଖଜୁରି କଟାଁ ରହିଛି। କଟାଁର ପରିସୀମା ପ୍ରାୟ ୧୫ଏକର। କଟାଁର ତଳମୂଣ୍ଡରେ ଥିବା ଅଗଲାପାଲି,ଚୌହାନପାଲି ଓ ସୁବର୍ଣ୍ଣପୁର ଜିଲା ଅଧୀନ କୁମୁଣ୍ଡେ ଓ ନର୍ଡାକଟାଁ ଗାଁର ଶହେରୁ ଊର୍ଦ୍ଧ୍ୱ ଏକର ଚାଷଜମି ରହିଛି ା କଟାଁର ସଂରକ୍ଷିତ ବର୍ଷାପାଣିକୁ ଅନାବୃଷ୍ଟି ସମୟରେ ଚାଷୀମାନେ ବ୍ୟବହାର କରିଥାନ୍ତି। ହେଲେ ଉକ୍ତ ପ୍ରକଳ୍ପ ରକ୍ଷଣାବେକ୍ଷଣ ପ୍ରତି ବିଭାଗ ଆଖିବୁଜି ଦେଇଥିବା ଅଗଲାପାଲି ଗ୍ରାମାବାସୀ ଓ ପ୍ରକଳ୍ପ ତଳମୁଣ୍ଡ ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ୨୦୧୯ ଅଗଷ୍ଟରେ ଲଗାଣ ବର୍ଷା ଲାଗିରହିଥିଲା। ଏଥିଯୋଗୁ ଦୁର୍ବଳ ଥିବା ପ୍ରକଳ୍ପର ହୁଡାରେ ୨୫ରୁ ୩୦ ଫୁଟର ଘାଇ ସୃଷ୍ଟି କରିଥିଲା। ସେତେବେଳେ ପ୍ରକଳ୍ପ ତଳମୁଣ୍ଡକୁ ପାଣି ଓ ବାଲି ମାଡି ଯାଇ ବ୍ୟାପକ ଚାଷ ନଷ୍ଟ ହୋଇଥିଲା। ଚଳିତ ଖରିଫ ଚାଷ ପୂର୍ବରୁ ଘାଇ ମରାମତି ପାଇଁ ଚାଷୀମାନେ ବିଭାଗ ନିକଟରେ ଦାବି କରିଥିଲେ। ହେଲେ ଏପଟେ ଖରିଫ ଚାଷ ଆରମ୍ଭ ହୋଇଯାଇଥିବା ବେଳେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଘାଇ ମରାମତି ହୋଇ ନ ଥିବାରୁ ପ୍ରକଳ୍ପରେ ବର୍ଷା ଜଳ ସଂରକ୍ଷିତ ନ ହୋଇ ଅଯଥାରେ ତଳମୁଣ୍ଡକୁ ବୋହିଯାଉଛି। ଜମିରେ ବୁଣା ହୋଇଥିବା ଧାନ ଗଜା ଦେଇଥିବାରୁ ତାହା ନଷ୍ଟ ହେବା ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Share