ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ବୌଦ୍ଧ,୫ା୩(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲା ଦେଇ ୧୧୦ କି.ମି. ପରିବ୍ୟାପ୍ତ ଏହି ରେଳପଥ ଯିବାକୁ ଥିବା ବେଳେ କାମ ଆଗେଇ ଚାଲିଛି। ତେବେ ନିମ୍ନମାନର କାମ ଯୋଗୁ ବୌଦ୍ଧ ସଦର ବ୍ଲକ ଅଧୀନ ପୁରୁମୁଣ୍ଡା ଗ୍ରାମ ନିକଟରେ ନିର୍ମାଣାଧୀନ ରେଲଓ୍ବେ ଓଭର ବ୍ରିଜ ଭୁଶୁଡ଼ି ପଡ଼ିଛି। ଏଥିରେ ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି।
ପ୍ରକାଶ ଯେ, ସଦର ବ୍ଲକ ଖଲିଆପାଲି ପଞ୍ଚାୟତର ପୁରୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପାଖ ଦେଇ ଉକ୍ତ ରେଳଲାଇନ ଯାଉଛି। ତେଣୁ ଉକ୍ତ ପଞ୍ଚାୟତବାସୀଙ୍କ ଯିବା ଆସିବା ପାଇଁ ପୁରୁମୁଣ୍ଡା ନିକଟରେ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ୩ ମାସ ହେଲା ଚାଲିଛି। ଶୁକ୍ରବାର ଏହି ବ୍ରିଜର ଢଳେଇ ଛାତ ପଡ଼ିଥିଲା। ହେଲେ ୨୪ ଘଣ୍ଟା ନ ପୂରୁଣୁ ତାହା ଭୁଶୁଡି ପଡିବା ଦେଖିବାକୁ ମିଳିଥିଲା। ଜିଲା ପ୍ରଶାସନର ଅବହେଳା ଯୋଗୁ ବ୍ରିଜ କାମ ନିମ୍ନମାନର ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଜେଇ ଓ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହାର ପୁନଃନିର୍ମାଣ ଲାଗି ଗ୍ରାମବାସୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ବୌଦ୍ଧ ଜିଲାରେ ବର୍ତ୍ତମାନ ପୁରୁଣାକଟକଠାରୁ ମନମୁଣ୍ଡା ପର୍ଯ୍ୟନ୍ତ କାମ ଆରମ୍ଭ ହୋଇଥିବା ବେଳେ ବେସରକାରୀ ଠିକା ସଂସ୍ଥା ଏଆରଏସଏସ କାର୍ଯ୍ୟ କରୁଛି। ଖୋର୍ଦ୍ଧାରୋଡଠାରୁ ନୟାଗଡ଼ର ମହିପୁର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ହୋଇ ରେଳ ଗଡି ସାରିଥିବା ବେଳେ ବଲାଙ୍ଗୀର ପଟୁ ୧୯ କି.ମି. ଭଁଇସାପାଲି ପର୍ଯ୍ୟନ୍ତ ରେଳ ଗଡିସାରିଛି। ତେବେ ବେସରକାରୀ ଠିକା ସଂସ୍ଥାର ନିମ୍ନମାନର କାମ ଯୋଗୁ ନିର୍ମାଣାଧୀନ ରେଲୱେ ଓଭର ବ୍ରିଜ ଭୁଶୁଡ଼ିବା ସମସ୍ତଙ୍କୁ ଚକିତ କରିଛି।

Share