ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିଲା

ଯାଜପୁର ଅଫିସ,୩୧ା୫: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍‌ ସୋମବାର ଭୁଶୁଡ଼ିପଡ଼ିଛି। ପାଣିକୋଇଲିଠାରୁ ୬ କି.ମି. ଦୂର ଭଦ୍ରକ ରାସ୍ତାରେ ଠିକାସଂସ୍ଥା ଡିବିଏଲ୍‌ ଦ୍ୱାରା ନିର୍ମାଣାଧୀନ ଏହି ବ୍ରିଜ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ଭୁଶୁଡ଼ି ପଡ଼ିଥିବା ବିିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ବାଲେଶ୍ୱର ଡିଭିଜନ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ୬ ଲେନ୍‌ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ଡିବିଏଲ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିଲେ ହେଁ କେତେଜଣ ପେଟି କଣ୍ଟ୍ରାକ୍ଟର ଏହାର କାର୍ଯ୍ୟ ସମ୍ପାଦନ କରୁଥିବା କୁହାଯାଉଛି। ଏହାସହ ବାଲେଶ୍ୱର ଏନ୍‌ଏଚ୍‌ଏଆଇ ଡିଭିଜନ କର୍ତ୍ତୃପକ୍ଷ ନିରୀକ୍ଷଣ କରିବାକୁ ଆସୁନାହାନ୍ତି। ଫଳରେ ଠିକାସଂସ୍ଥା ଆବଶ୍ୟକ ପରିମାଣ ଓ ମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରୁ ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ମାସ ହେବ ଏହି ବ୍ରିଜ୍‌ କାର୍ଯ୍ୟ ଚାଳିଥିଲା। ଦୁର୍ଘଟଣା ସମୟରେ ବ୍ରିଜ ତଳେ କେହି କର୍ମଚାରୀ କିମ୍ବା ଶ୍ରମିକ ନ ଥିଲେ। ସେମାନେ ଉପରେ ଛାତ କାର୍ଯ୍ୟ କରୁଥିଲେ। ବ୍ରିଜ ଭୁଶୁଡ଼ିବା ଜାଣିପାରି ସେମାନେ ଦୂରକୁ ପଳେଇ ଯାଇଥିଲେ ବୋଲି ସୂଚନା ମିଳିଛି। ଏନେଇ ବାଲେଶ୍ୱର ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।

Share