୧୦ ଦିନ ହେବ ମରାମତି ହେଉନି ପୋଲ

ପାଟଣା,୧୪ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ସରାସକୋଲା ପଞ୍ଚାୟତ ଆଦିବାସୀ ଅଧୁଷିତ ଶାଳଧର ଓ ବାଉଁଶଡ଼ିହା ଗ୍ରାମ ମଝିରେ ଥିବା ଏକ ପୋଲ ଭାଙ୍ଗିଯାଇଛି। ଫଳରେ ୫ରୁ ଊର୍ଦ୍ଧ୍ୱ ଗାଁର ଲୋକେ ଗମନାଗମନରେ ସମସ୍ୟା ଭୋଗୁଛନ୍ତି। ଏମିତିକି ଛାତ୍ରୀଛାତ୍ର ସ୍କୁଲ ଯାଇପାରୁନାହାନ୍ତି।
ସୂଚନା ଯେ, ସରାସକୋଲା ପଞ୍ଚାୟତର ଜିଆଣି ସାହି, ଶାଳଧର, ଗୁଲୁଦିପଶି ଆଦି ଗ୍ରାମର ଲୋକେ ଗିରିଧିନା, ଜାମୁପଶି, ଖମୁଆ, ମୂଷା ଖୋରି ଓ ମଲ୍ଲିପଶି ଯିବା ପାଇଁ ଉକ୍ତ ପୋଲ ଉପରେ ନିର୍ଭର କରିଥାନ୍ତି। ତେବେ ପୋଲ ଅଗଷ୍ଟ ୩ ତାରିଖରେ ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି। ପୋଲ ଭାଙ୍ଗି ପଡ଼ିଥିବାରୁ ୧୧ ଦିନ ହେବ ଶାଳଧର ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗିରିଧିନା ପ୍ରାଥମିକ ବିଦ୍ୟାଳୟକୁ ଯାଇପାରୁନାହାନ୍ତି। ଘଟଣା ଘଟିବାର ୧୦ ଦିନ ବିତିଯାଇଥିଲେ ହେଁ ଏଥିପ୍ରତି କାହାରି ଦୃଷ୍ଟି ପଡ଼ିନାହିଁ। ଶିକ୍ଷା ବିଭାଗ, ବ୍ଲକ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା ଘଟଣା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ଏ ନେଇ ବିଡିଓ ଶିବ ଶଙ୍କର ମୁର୍ମୁ କହିଛନ୍ତି, ପୋଲ ଭୁଶୁଡ଼ି ପଡ଼ିବା ଶୁଣିଛି। ପ୍ରକୃତରେ ଉକ୍ତ ରାସ୍ତା ବ୍ଲକ୍‌ର କି ଆରଡି ବିଭାଗର ଜଣାପଡ଼ିନାହିଁ। ରିପୋର୍ଟ ଦେବାକୁ କର୍ମଚାରୀଙ୍କୁ କୁହାଯାଇଛି।

Share