ବ୍ରୋଞ୍ଜ ଥାଳି, ମୁଦ୍ରା ପାଇଁ ଦେଢ଼ଶାଶୁ କରିଥିଲେ ଡକାୟତି ଯୋଜନା

ତେନ୍ତୁଳିଖୁଣ୍ଟି, ୧।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଧୀନ ଗୌଡ଼ ଦେଓପାଲି ସଦର ଗାଁର ଚନ୍ଦ୍ର ଗୌଡ଼ଙ୍କ ଘରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଡାଇକିଗୁଡ଼ାର ଅହଲ୍ୟା ଗୌଡ଼, ନନ୍ଦାହାଣ୍ଡି ବ୍ଲକ ସାନଦେବତାଗୁଡ଼ାର ସଞ୍ଜୀବ ନାୟକ, ନିସ୍ନାହାଣ୍ଡିର ରାଜେନ୍ଦ୍ର ହରିଜନ, ସାମସନ ହରିଜନ,ଉଷୁରିପଦରର ଲକ୍ଷ୍ମଣ ହରିଜନ, ପରଞ୍ଜିତ ସାଗରିଆ। ଅହଲ୍ୟା ଚନ୍ଦ୍ରଙ୍କ ସମ୍ପର୍କୀୟ ଦେଢ଼ଶାଶୁ। ଚନ୍ଦ୍ରଙ୍କ ଘରେ ଥିବା ବ୍ରୋଞ୍ଜ ଥାଳି ଓ ମୁଦ୍ରାର ଚମତ୍କାର ଗୁଣ ରହିଛି ଯାହାର ବଜାର ଦର କୋଟିଏ ଟଙ୍କା। ଏହା ଭାବି ଅହଲ୍ୟା ସେ ସବୁକୁ ଚୋରାଇବାକୁ ଯୋଜନା କରିଥିଲେ ବୋଲି ଡିଏସ୍‌ପି ଚନ୍ଦ୍ରଶେଖର ହୋତା ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ପୋଲିସ ସୂଚନାନୁଯାୟୀ, ଚନ୍ଦ୍ରଙ୍କ ଘରେ ଥିବା ବ୍ରୋଞ୍ଜ ଥାଳି ଓ ମୁଦ୍ରାକୁ ଆଣିବାକୁ ଅହଲ୍ୟା ସଞ୍ଜୀବ ନାୟକଙ୍କ ସହ କଥା ହୋଇ ଡକାୟତି ପାଇଁ ପିଲା ଯୋଗାଡ଼ କରିବାକୁ କହିଥିଲେ। ଏହାପରେ ସଞ୍ଜୀବ ରାଜେନ୍ଦ୍ରଙ୍କ ସହ ଯୋଗାଯୋଗ କରିଥିଲେ। ସେମାନେ ଅନ୍ୟ ୧୧ଜଣଙ୍କ ସହ ମିଶି ଯୋଜନା ମୁତାବକ ଚନ୍ଦ୍ରଙ୍କ ଘର କବାଟ ଭାଙ୍ଗି ପଶିଥିଲେ। ଖଣ୍ଡା, ଛୁରି ମୁନରେ ପରିବାର ସଦସ୍ୟଙ୍କୁ ଅଟକାଇ ବ୍ରୋଞ୍ଜ ଥାଳି ,ତମ୍ବା ମୁଦ୍ରା ଓ ଗୋଟିଏ ସୁନାଚେନ୍‌ ସହ ଅଶୀହଜାର ଟଙ୍କା ଆଣଇଥିଲେ। ଏଥିସହ ଭୟଭୀତ କରିବା ପାଇଁ ଚନ୍ଦ୍ରଙ୍କ ଝିଅ ପୁଷ୍ପାକୁ ଛୁରିରେ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଚନ୍ଦ୍ର ଖାତିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୨୨/୨୩ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଏହାପରେ ଘଟଣାର ପର୍ଦ୍ଦାଫାଶକରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ବ୍ରୋଞ୍ଜ ଥାଳି, ତମ୍ବା ମୁଦ୍ରା ସମେତ ଖଣ୍ଡା ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ମୁର୍ଲବାଇର ସମୀର ବାଘ, ବଣିଆର ସୁରେଶ ନାଗ, ଦୀପକ ହରିଜନ, ଆଲୋକ ସୁନା, ଲଚ୍ଛମନ ହରିଜନ, ସୁରଜ ହରିଜନ, ଜୟପୁର କବିସୂର୍ଯ୍ୟ ହରିଜନ ଓ ସେମିଳିଗୁଡ଼ାର ଦିବାକର ସାଗରଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଖବରଦାତା ସମ୍ମିଳନୀରେ ଡିଏସ୍‌ପିଙ୍କ ସମେତ ଥାନାଧିକାରୀ ଦୀପକ ଲେଙ୍କା, ସବ୍‌ଇନ୍ସିପେକ୍ଟର ମହେଶ୍ୱର ଭୁର୍ଭୁରେଙ୍କ ସମେତ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।