ପୁଣି ମାଓବାଦୀଙ୍କ ବର୍ବରତା: ଠିକାଦାରଙ୍କୁ ହତ୍ୟା କରି ଜାହିର କଲେ ସ୍ଥିତି

ମାଲକାନଗିରି,୧୭ା୧୨(ଡି.ଏନ୍‌.ଏ.): ଦୀର୍ଘଦିନର ନୀରବତା ପରେ ପୁଣି ମାଓବାଦୀମାନେ ବର୍ବର କାଣ୍ଡ ଭିଆଇ ନିଜର ସ୍ଥିତି ଜାହିର କରିଛନ୍ତି। ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ଯ୍ୟରେ ନିୟୋଜିତ ମେଶିନ ଓ ଗାଡ଼ି ଜାଳି ଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଜନ୍ଦ୍ରାଗୁଡ଼ା ଗ୍ରାମରେ।
ସୂଚନାନୁଯାୟୀ, ମାଥିଲି ବ୍ଲକ ଅନ୍ତର୍ଗତ ଜନ୍ଦ୍ରାଗୁଡ଼ାଠାରେ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀମାନେ ରାସ୍ତା କାମରେ ନିୟୋଜିତ ଏକ ପ୍ରୋକୋଲିନ୍‌କୁ କ୍ଷତିଗ୍ରସ୍ତ କରିବା ସହ ବୋଲେରୋରେ ନିଆଁ ଲଗାଇ ଦେଇଛନ୍ତି। ଏହାସହ ସମ୍ପୃକ୍ତ ଠିକାଦାରଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେବେ ଦର୍ଭା ଡିଭିଜନର ମାଓବାଦୀମାନେ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି।