ସେପ୍ଟେମ୍ବର ୧୩ରେ ରିଲିଜ୍‌ ହେବ ‘ଦି ବକିଂହାମ୍‌ ମର୍ଡର୍ସ’

ମୁମ୍ବାଇ: ହନ୍‌ସଲ ମେହତାଙ୍କ ନିର୍ଦ୍ଦେଶିତ ତଥା ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦି ବକିଂହାମ୍‌ ମର୍ଡର୍ସ’ର ରିଲିଜ୍‌ ତାରିଖ ସୋମବାର ଘୋଷଣା କରାଯାଇଛି। ଫିଲ୍ମ ନିର୍ମାତା ସଂସ୍ଥା ବାଲାଜୀ ମୋସନ୍‌ ପିକ୍ଚର୍ସ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଏନେଇ ଏକ ପୋଷ୍ଟର ଜାରି କରାଯାଇ ସୂଚନା ଦିଆଯାଇଛି। ବଡ଼ ପରଦାରେ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ସେପ୍ଟେମ୍ବର ୧୩ରେ ମୁକ୍ତିଲାଭ କରିବ। ‘ଦି ବକିଂହାମ୍‌ ମର୍ଡର୍ସ’କୁ ଗତବର୍ଷ ଅନୁଷ୍ଠିତ ହୋଇଥିବା ‘ବିଏଫ୍‌ଆଇ ଲଣ୍ଡନ ଚଳଚ୍ଚିତ୍ର ମହୋତ୍ସବ ୨୦୨୩’ରେ ପ୍ରଦର୍ଶିତ କରାଯାଇଥିଲା। ଏହାବ୍ୟତୀତ ଗତବର୍ଷ ଆୟୋଜିତ ହୋଇଥିବା ‘ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୨୩’ରେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ହୋଇଥିଲା। ଏହି ଫିଲ୍ମରେ କରୀନା ଜଣେ ମହିଳା ଗୁପ୍ତଚର ଚରିତ୍ରରେ ଅଭିନୟ କରୁଛନ୍ତି, ଯାହାଙ୍କ ନାମ ଜସ୍‌ ଭାମରା ରହିଛି। ସେହିପରି ଏହି ଚଳଚ୍ଚିତ୍ରରେ କରୀନା ଜଣେ ପ୍ରଯୋଜକ ଭାବରେ ମଧ୍ୟ ଡେବ୍ୟୁ କରୁଛନ୍ତି। ସେ ଶୋଭା କପୁର, ଏକତା କପୁରଙ୍କ ସହ ଏହି ଫିଲ୍ମର ସହ ନିର୍ମାତା ରହିଛନ୍ତି।

Share