ନୂଆଦିଲ୍ଲୀ,୫ା୭(ପି.ଟି.): ଭଗବାନ ବୁଦ୍ଧଙ୍କ ବାର୍ତ୍ତାର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି। ସାରା ବିଶ୍ୱ କରୋନା ମହାମାରୀ ବିରୋଧରେ ଲଢ଼େଇ କରୁଥିବାବେଳେ ବୁଦ୍ଧଙ୍କ ବାଣୀ ଆଲୋକବର୍ତ୍ତିକା ଭଳି କାର୍ଯ୍ୟ କରିଥିବା ସେମାନେ କହିଛନ୍ତି। ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ଏବଂ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଆୟୋଜିତ ଧର୍ମଚକ୍ର ଦିବସ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ମାନବ ଯନ୍ତ୍ରଣାର ଉପଶମ ପାଇଁ ବୁଦ୍ଧଙ୍କ ୨୫୦୦ ବର୍ଷ ତଳେ ପ୍ରଚାର କରିଥିବା ବାର୍ତ୍ତାର ସେଦିନ ଭଳି ଆଜି ମଧ୍ୟ ପ୍ରାସଙ୍ଗିକ। ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସ ଜରିଆରେ ଉଦ୍ବୋଧନ ଦେଇ କହିଛନ୍ତି, ଭଗବାନ ବୁଦ୍ଧ ଆଶା ଓ ଉଦ୍ଦେଶ୍ୟର ପ୍ରତୀକ। ତାଙ୍କ ପାଇଁ ମାନବ ଯନ୍ତ୍ରଣା ଦୂର ହୋଇଥିଲା। ଏହି ଅବସରରେ ଆମକୁ ଜନସାଧାରଣଙ୍କ ମଧ୍ୟରେ ଥିବା ଆଶାକୁ ବଢ଼ାଇବାକୁ ହେବ।