ବିଲୀନ ହେବ ବୌଦ୍ଧସ୍ତୂପ ପାରାଭାଡ଼ି

ଚଣ୍ଡିଖୋଲ, ୨୨।୧୦:ମାନବ ସଭ୍ୟତାକୁ ଶାନ୍ତିର ବାର୍ତ୍ତା ଦେଇଛି ବୈଦ୍ଧ ଧର୍ମ। ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର ପରିଚୟ। ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ନେଇ ପରିକଳ୍ପିତ ‘ହୀରକ ତ୍ରିଭୂଜ’ ବିଶ୍ୱ ମାନଚିତ୍ରରେ ବୌଦ୍ଧ ଧର୍ମର ଗୁରୁତ୍ୱ ବଢ଼ାଇଛି। ହେଲେ ହୀରକ ତ୍ରିଭୁଜ ଅନ୍ତର୍ଭୁକ୍ତ ତଥା ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀର ସର୍ବପୁରାତନ ବୌଦ୍ଧସ୍ତୂପ ‘ପାରାଭାଡ଼ି’ ରକ୍ଷଣାବେକ୍ଷଣ ଅଭାବରୁ ବିଲୀନ ହେବାକୁ ବସିଛି। ଅବକ୍ଷୟ ହୋଇ ଏହି ସ୍ତୂପର ଉଚ୍ଚତା ୪୦ ଫୁଟରୁ ୧୫ ଫୁଟରେ ପହଞ୍ଚତ୍ଲାଣି। ଏହି ଐତିହାସିକ ସ୍ମାରକର ସଂରକ୍ଷଣ ଲାଗି ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ନ ହେବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଅବହେଳାକୁ ପଦାରେ ପକାଇଛି।
ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ବନ୍ଦରେଶ୍ୱର ପାହାଡ଼ର ଶୀର୍ଷରେ ରହିଛି ବୌଦ୍ଧସ୍ତୂପ ପାରାଭାଡ଼ି। ୧୯୭୫-୮୨ ମସିହା ମଧ୍ୟରେ ଲଳିତଗିରିର ଉତ୍‌ଖନନ ସମୟରେ ଏହାର ସନ୍ଧାନ ମିଳିଥିଲା। ୧୯୯୪ରେ ଏହା ଏଏସ୍‌ଆଇ ଅଧୀନକୁ ଯାଇଥିଲା। ହେଲେ ଏହି ପ୍ରାଚୀନ ବୌଦ୍ଧପୀଠର ସଂରକ୍ଷଣ କିମ୍ବା ଉତ୍‌ଖନନ କରାଯାଇନାହିଁ। ଫଳରେ ଏହା ଅସ୍ତିତ୍ୱ ହରାଇବାକୁ ବସିଛି। ଏ ସମ୍ପର୍କରେ ସୂଚନା ଦେଇ ବିଶିଷ୍ଟ ଐତିହାସିକ ତଥା ବୌଦ୍ଧଧର୍ମ ଗବେଷକ ଡ. ହରିଶଚନ୍ଦ୍ର ପୃଷ୍ଟି କୁହନ୍ତି, ଚୀନ ପରିବ୍ରାଜକ ହୁଏନ୍‌ସାଂ ଓଡ଼ିଶା ଭ୍ରମଣରେ ଆସିଥିବା ସମୟରେ ଏହି ସ୍ତୂପର ଅନୁଧ୍ୟାନ କରିଥିଲେ। ସେ ନିଜ ପୁସ୍ତକରେ ପାରାଭାଡ଼ି ବିଷୟରେ ଉଲ୍ଲେଖ କରିଛନ୍ତି। ସାରନାଥ, ସାଞ୍ଚତ୍, ନାଗାର୍ଜୁନ କେଣ୍ଡା ଓ ଜାଭାର ବର୍ବୋଦରସ୍ଥିତ ବୌଦ୍ଧ ମହାସ୍ତୂପଗୁଡ଼ିକ ସହ ପାରାଭାଡ଼ିର ଅନେକ ସାମଞ୍ଜସ୍ୟ ରହିଛି। ପାରାବୋଧିର ଅପଭ୍ରଂଶରୁ ପାରାଭାଡ଼ି ସୃଷ୍ଟି ହୋଇଛି। ଲଳିତଗିରି ସହ ପଞ୍ଚଗିରି ଅନ୍ତର୍ଗତ ପାରାଭାଡ଼ି ପାହାଡ଼ ଉପରେ ଯେଉଁ ସ୍ତୂପ ରହିଛି ତାକୁ ଗବେଷକମାନେ ପାରାବୋଧି ବୋଲି କହିଥାନ୍ତି। ଗୌତମ ବୁଦ୍ଧଙ୍କ ପଟ୍ଟଶିଷ୍ୟ ତପସୁ ଏବଂ ଭଲୁକ ଏହି ସ୍ତୂପ ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଲାଗି ଲଳିତଗିରିର ଲଣ୍ଡା ପାହାଡ଼ରେ ଥିବା ବୌଦ୍ଧ ସ୍ତୂପ ଓ ପାରାଭାଡ଼ି ସ୍ତୂପ ସମକାଳୀନ ଭାବେ ନିର୍ମାଣ କରାଯାଇଥିଲା। ସମ୍ରାଟ ଅଶୋକ ବିଶ୍ୱରେ ବୌଦ୍ଧଧର୍ମ ପ୍ରଚାର କରିବା ସହ ମୂଲ୍ୟବାନ ଦ୍ରବ୍ୟ ଏବଂ ସ୍ତୂପଗୁଡ଼ିକର ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ। ଲଳିତଗିରିର ସ୍ତୂପରୁ ବୁଦ୍ଧଙ୍କ ଅସ୍ଥି ପେଟିକା ମିଳିଥିଲା। ୩ ଫରୁଆରେ ସଂରକ୍ଷିତ ଏହି ପେଟିକାର ପ୍ରଥମ କାଠ, ଦ୍ୱିତୀୟ ରୂପା ଏବଂ ତୃତୀୟ ସୁନା ଫରୁଆରେ ଆବଦ୍ଧ ହୋଇ ରହିଥିଲା। ଗତବର୍ଷ ଲଳିତଗିରିରେ ନିର୍ମିତ ବୁଲେଟ୍‌ ପ୍ରୁଫ୍‌ ମ୍ୟୁଜିୟମରେ ଏହାକୁ ସଂରକ୍ଷିତ କରି ରଖାଯାଇଛି। ଏଏସ୍‌ଆଇ ଅଧୀନକୁ ଯିବା ସମୟରେ ପରାଭାଡ଼ି ସ୍ତୁପର ଉଚ୍ଚତା ୪୦ଫୁଟ ଥିଲା। ହେଲେ କ୍ରମାଗତ ଅବକ୍ଷୟ ଘଟି ଏହାର ଉଚ୍ଚତା ୧୫ ଫୁଟରେ ପହଞ୍ଚତ୍ଛି। ସେହିପରି ୨ଶହ ଏକର ଜମିରେ ଏହାର ପରିସୀମା ଚିହ୍ନଟ କରାଯାଇଥିଲେ ମଧ୍ୟ ଏହାର ସଂରକ୍ଷଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆ ନ ଯିବା ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି। ଏଏସ୍‌ଆଇ ତରଫରୁ ପାରାଭାଡ଼ି ସ୍ତୂପକୁ ଉତ୍‌ଖନନ କରାଗଲେ ବୌଦ୍ଧଧର୍ମ ସଂକ୍ରାନ୍ତ ଅନେକ ରହସ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ଏଏସ୍‌ଆଇର ସହକାରୀ ଅଧୀକ୍ଷକ ମାନସ ରଞ୍ଜନ ସାହୁ କୁହନ୍ତି ୧୯୯୪ରୁ ଏହା ଏଏସ୍‌ଆଇ ଅଧୀନକୁ ଆସିଥିଲା। ଟଙ୍କା ଅଭାବରୁ ଏହାର ରକ୍ଷଣାବେକ୍ଷଣା ହୋଇପାରିନାହିଁ। ବଜେଟ କରାଗଲେ ଏହାର ଏହାର ଉତ୍‌ଖନନ ଓ ସଂରକ୍ଷଣ କରାଯାଇ ପାରିବ।

ପ୍ରଦୀପ୍ତ କୁମାର ପୃଷ୍ଟି