ବଜେଟ ଖର୍ଚ୍ଚ ୫୧ ହଜାର କୋଟି

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ରାଜ୍ୟରେ ରାଜସ୍ବ ଆଦାୟ ବୃଦ୍ଧି ଘଟିଛି। ଗତବର୍ଷ ତୁଳନାରେ ୨୦୨୦ ଅକ୍ଟୋବର ଶେଷ ସୁଦ୍ଧା ୨.୨୭ ପ୍ରତିଶତ ରାଜସ୍ବ ବୃଦ୍ଧି ଘଟିଛି। ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏହି ସୂଚନା ଦିଆଯାଇଛି।
ବୈଠକରୁ ଜଣାପଡିଛି ଯେ, ୨୦୨୦ ଅକ୍ଟୋବର ଶେଷ ସୁଦ୍ଧା ଉଭୟ ନିଜସ୍ବ ଟିକସ ଏବଂ ଅଣଟିକସ କ୍ଷେତ୍ରରେ ୨.୨୭ ପ୍ରତିଶତ ରାଜସ୍ବ ଅଭିବୃଦ୍ଧି ଘଟିଛି। ୨୦୧୯ ଅକ୍ଟୋବର ଶେଷ ସୁଦ୍ଧା ୨୫୦୦୨.୮୪ କୋଟି ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ରାଜସ୍ବ ଆଦାୟ ୨୫୫୭୧.୪୩ କୋଟି ଟଙ୍କାରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷରେ ଅଣଟିକସ ଅଭିବୃଦ୍ଧି ୨୩.୪୧ ପ୍ରତିଶତ ରହିଛି। ୨୦୧୯ ଅକ୍ଟୋବର ଶେଷ ସୁଦ୍ଧା ୭୫୩୩.୨୬ କୋଟି ଅଣଟିକସ ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୮୨୯୬.୬୦ କୋଟି ଟଙ୍କା ଆଦାୟ ହୋଇଛି। ଲକ୍‌ଡାଉନ ଓ ଶଟ୍‌ଡାଉନ ମଧ୍ୟରେ ଅକ୍ଟୋବର ଶେଷ ସୁଦ୍ଧା ବଜେଟର ୫୧ ହଜାର କୋଟି ବ୍ୟୟ କରାଯାଇଛି। ସେଥିରୁ ୨୬ ହଜାର କୋଟି କେବଳ ସାମାଜିକ କ୍ଷେତ୍ରରେ ବିନିଯୋଗ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି।
ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା ବିଭିନ୍ନ ବିଭାଗର ଆର୍ଥିକ ପରିଚାଳନାର ସମୀକ୍ଷା କରିଥିଲେ। ଜୀବନଜୀବିକା ଓ ଭିତ୍ତିଭୂମି ନିର୍ମାଣ ଉପରେ ଅଧିକ ଫୋକସ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓଏମ୍‌ବିଏଡିସି ଏବଂ ଡିଏମ୍‌ଏଫ୍‌ ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପ ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦେଇଥିଲେ। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଜର ବଜେଟ ପ୍ରସ୍ତୁତି ଶେଷ ସୁଦ୍ଧା ସମାପ୍ତ କରିବାକୁ ବିଭିନ୍ନ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ୍ତ କୁମାର ଜେନା, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

Share