କୋଠା ହେଲା ମାଇକ୍ରୋ କଣ୍ଟେନ୍‌ମେଣ୍ଟ

କଟକ ଅଫିସ, ୨୮।୧୨: କଟକ ସହରରେ କରୋନା ସଂକ୍ରମଣ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍‌ ଲଗାଯାଇପାରୁନାହିଁ। କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ନୂଆ ରାଉସାପାଟଣା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କୋଠାରେ ୬ଟି ପରିବାର ଭଡାରେ ରହୁଛନ୍ତି। ସେଥିମଧ୍ୟରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟ ସୋମବାର କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ସିଏମ୍‌ସି ପକ୍ଷରୁ ଉକ୍ତ କୋଠାକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ଉକ୍ତ କୋଠା ମଧ୍ୟକୁ ପ୍ରବେଶ ଓ ସେଠାରୁ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହୁଥିବା ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ସିଏମ୍‌ସି ପକ୍ଷରୁ ଯୋଗାଇ ଦିଆଯିବ। ଏ ସମ୍ପର୍କରେ ଡା. ସ୍ମୃତିରଞ୍ଜନ ସାମଲ କହିଛନ୍ତି, କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଅଛି। ସେମାନଙ୍କୁ ଘରେ ସିଏମ୍‌ସି ପକ୍ଷରୁ ଚିକିତ୍ସା କରାଯାଉଛି।