କଅଁଳ କାନ୍ଧରେ ପରିବାର ବୋଝ: ସହାୟତାର ହାତ ବଢାଇଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର, ୯।୪(ବ୍ୟୁରୋ): ନାଁ ଅମିତ ପୃଷ୍ଟି। ବୟସ ମାତ୍ର ୧୪। ଘର ନୟାଗଡ଼ରେ। ପାଠ ପଢା, ଖେଳକୁଦ ବୟସରେ ଏବେ କାନ୍ଧେଇଛନ୍ତି ପରିବାରର ବୋଝ। ୩ବର୍ଷ ପୂର୍ବେ ପିତାଙ୍କ ଅକାଳ ମୃତ୍ୟୁ ପରେ ମା’ ଓ ବଡ ଭଉଣୀଙ୍କ ସହ ଅମିତ ଭିଟାମାଟି ଛାଡି ଭୁବନେଶ୍ୱର ଚାଲି ଆସିଥିଲେ। କାମଧନ୍ଦା ଖୋଜୁଖୋଜୁ ପହଞ୍ଚତ୍ୟାଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟରେ। ଶେଷରେ ବିଶ୍ୱବିଦ୍ୟାଳୟ ହିଁ ପାଲଟିଗଲା ତାଙ୍କ କର୍ମସ୍ଥଳ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ କେତେଜଣ ଛାତ୍ରୀଙ୍କ ସହଯୋଗରେ ଅମିତ କ୍ୟାମ୍ପସ୍‌ରେ ଏକ ଜଳଖିଆ ବେପାର ଆରମ୍ଭ କଲେ। ଇଡ୍‌ଲି, ଘୁଗୁନି, ଆଳୁଦମ୍‌ ଓ ଦହିବରାର ନିଆରା ସ୍ବାଦ ଛାତ୍ରଛାତ୍ରଙ୍କୁ ବେଶ୍‌ ଆକର୍ଷିତ କଲା। ମଧୁସୂଦନ ହଷ୍ଟେଲ ନିକଟ ସ୍ଥାନ ପାଲଟିଗଲା ଅମିତଙ୍କ ପରିଚୟ। ଛୋଟ ଉଠାଦୋକାନ ଚାରିପାଖରେ ଛାତ୍ରୀଛାତ୍ରମାନେ ଭିଡ଼ ଲାଗୁଛି। ସେଥିରୁ ଯେଉଁ ରୋଜଗାର ହେଉଛି ସେଥିରେ ପରିବାର ଚଳୁଛି। ଏଥିସହ ସେ ମଧ୍ୟ ପାଠପଢ଼ିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଜଟଣୀର ଡାଳତୋଳା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇଥିବା ଅମିତଙ୍କ ପ୍ରାଥମିକ ଲକ୍ଷ୍ୟ ହେଉଛି ଆନୁଷ୍ଠାନିକ ଶିକ୍ଷା ସମାପ୍ତ କରିବା। ହେଲେ ସୀମିତ ରୋଜଗାରରୁ ପରିବାର ଖର୍ଚ୍ଚ ତୁଲାଇ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଆସିବା କେଉଁଠୁ।
ଅମିତ୍‌ଙ୍କ ଏହି ସଂଘର୍ଷପୂର୍ଣ୍ଣ ଜୀବନ ସମ୍ପର୍କରେ ଖବର ପାଇବା ପରେ ଓଲିଉଡ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶନୀ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଗୁରୁବାର ବର୍ଷା ଅମିତ୍‌ଙ୍କ ଦୋକାନରେ ପହଞ୍ଚତ୍ ତାଙ୍କ ହାତ ତିଆରି ଇଡ୍‌ଲି ଖାଇବା ସହ ବେଶ୍‌ କିଛି ସମୟ ମନଖୋଲି ବାର୍ତ୍ତାଳାପ କରିଥିଲେ। ପାଠ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଦେଖି ‘ସମ୍ମାନିତା’ ପକ୍ଷରୁ ଅଭିନେତ୍ରୀ ବର୍ଷା ତାଙ୍କୁ ବହି, କଲମ, ଜ୍ୟାମିତି ବାକ୍ସ ଏବଂ ଏକ ସ୍କୁଲ୍‌ ବ୍ୟାଗ୍‌ ଆଦି ପାଠ୍ୟୋପକରଣ ଉପହାର ଦେଇଛନ୍ତି। ଆଗାମୀ ଦିନରେ ଅମିତଙ୍କୁ ପାଠପଢ଼ାରେ ଆବଶ୍ୟକ ସହଯୋଗ କରିବେ ବୋଲି ବର୍ଷା ପ୍ରତିଶ୍ରୁତି ଦେଇଛନ୍ତି।

Share