ନାବାଳିକାଙ୍କ ମୁଣ୍ଡରେ ୨ ଭଉଣୀ, ଭାଇଙ୍କ ବୋଝ

ବୁଗୁଡ଼ା,୧୪ା୮(କାଳୀ ଚରଣ ଦାଶ): ବର୍ଷେ ତଳେ ମା’ଙ୍କ ଅକାଳ ବିୟୋଗ ପରେ ଘରଛାଡି ଫେରାର ହୋଇଗଲେ ବାପା। ଫଳରେ ଅନାଥ ହୋଇଗଲେ ୪ ଶିଶୁ। ଯେଉଁ ବୟସରେ ପିଠିରେ ସ୍କୁଲ ବ୍ୟାଗ ଧରି ପାଠ ପଢ଼ିବାକୁ ଯିବା କଥା ସେହି ବୟସରେ ଦୁଇ ଭଉଣୀ ଓ ଗୋଟିଏ ଭାଇର ବୋଝ ମୁଣ୍ଡାଇଛନ୍ତି ନାବାଳିକା ଜହ୍ନ। ଏହା ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ପଞ୍ଚାୟତର କରଞ୍ଜସାହି ଆଦିବାସୀ ଗ୍ରାମରେ। ଆଦିବାସୀ ପ୍ରମୋଦ ଦଳବେହେରାଙ୍କ ଝିଅ ଜହ୍ନ ମାତ୍ର ୧୫ ବର୍ଷ ବୟସରେ ପାଠ ପଢା ଛାଡି ମୂଲ ଲାଗିବାକୁ ବାଧ୍ୟ ହୋଇଛନ୍ତି। ଜହ୍ନ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ମା’ ହଠାତ୍‌ ଆରପାରିକୁ ଚାଲିଗଲେ। ପରେ ବାପା ମଧ୍ୟ ଘର ଛାଡି କୁଆଡେ ଚାଲିଯାଇଛନ୍ତି। ଘରେ ଦୁଇ ଭଉଣୀ ତାରା(୧୨), ବନିତା (୧୦) ଏବଂ ୬ ବର୍ଷର ଭାଇ ଓମ୍‌ ପ୍ରକାଶର ବୋଝ ମୁଣ୍ଡାଉଛନ୍ତି ଜହ୍ନ। ଭାଇ ଭଉଣୀଙ୍କ ପେଟକୁ ମୁଠେ ଦାନା ଯୋଗାଡ଼ କରିବା ପାଇଁ ପାଠ ପଢା ଛାଡି ମୂଲ ଲାଗିବାକୁ ଯାଉଛନ୍ତି ଜହ୍ନ। ମୂଲ ଲାଗି ଯାହା ଆଣୁଛନ୍ତି ସେଥିରେ ଦୁଃଖେ କଷ୍ଟେ ଚଳୁଛନ୍ତି ୪ ଭାଇ ଭଉଣୀ। ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ଘର ଖଣ୍ଡେ ନାହିଁ। ବର୍ଷା ହେଲେ ଘରେ ପାଣି ଗଳୁଥିବା ବେଳେ କାନ୍ଥ ଫାଟି ଆଁ କରିଛି। କେଉଁ ସମୟରେ ଘର ଭାଙ୍ଗି ପଡିବ ସେହି ଭୟରେ ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି ଭାଇ ଭଉଣୀ। ଦୀର୍ଘ ଏକ ବର୍ଷ ହେଲା ଅତି ଦୁଃଖ କଷ୍ଟରେ ଚଳି ଆସୁଥିବାବେଳ ସେମାନଙ୍କ ନିକଟରେ କୌଣସି ସରକାରୀ ସହାୟତା ପହଞ୍ଚି ପାରୁନି । ଯଦି ପ୍ରଶାସନ ଏହି ଆଦିବାସୀ ପିଲାଙ୍କ ଦୁଃଖକୁ ଦେଖି କିଛି ସହାୟତାର ହାତ ବଢ଼ାନ୍ତେ ତେବେ ଏମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।