କାମାକ୍ଷାନଗର, ୨୬।୫(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ନିକଟରେ ବୁଧବାର ଏକ ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ ଘଟିଛି। ଏଥିରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍କୁ ଜାଳିଦେଇଛନ୍ତି। ଏହି ଘଟଣାକୁ ନେଇ ଦିନତମାମ ଉତ୍ତେଜନା ଲାଗି ରହିଥିଲା। ପ୍ରଶାସନିକ ଅଧିକାରୀ ଏବଂ ପୋଲିସ କର୍ମଚାରୀ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲେ।
ପୋଲିସ ସୂଚନା ଅନୁଯାୟୀ, ତୁମୁସିଙ୍ଗା ଥାନା ଶ୍ରୀମୂଳା ଗ୍ରାମର ମୁକୁନ୍ଦ ସାହୁ (୪୭) ତାଙ୍କ ସମ୍ପର୍କୀୟଙ୍କ ଘର ରେକୁଳାରୁ ବାଇକ୍ (ନଂ. ଓଆର୍ ୦୬ ଜି ୯୫୧୬)ରେ ଅପରାହ୍ନରେ ଘରକୁ ଫେରୁଥିଲେ। ଏହି ସମୟରେ ଢେଙ୍କାନାଳରୁ କାମାକ୍ଷାନଗର ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ଗଣେଶ (ନଂ. ଓଆର୍ ୦୬ କେ ୦୫୪୦) ଜଡ଼ାପାଳ ନିକଟରେ ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମୁକୁନ୍ଦଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପହଞ୍ଚତ୍ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଥିଲେ। ଧୀରେ ଧୀରେ ଉତ୍ତେଜନା ବଢ଼ିଥିଲା। ସନ୍ଧ୍ୟା ବେଳେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ବସ୍ରେ ନିଅଁା ଲଗାଇଦେଇଥିଲେ। ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ଥାନାଧିକାରୀ ସୁନୀଲ କୁମାର କର, ବିଡିଓ ବିକାଶ କୁମାର ମହାନ୍ତି, ରାଜସ୍ବ ଅଧିକାରୀ ମଦନ ମୋହନ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ମୃତକଙ୍କ ପରିବାରକୁ ରେଡ୍କ୍ରସ୍ ପକ୍ଷରୁ ୧୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି। ତେବେ ଅଧିକ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁକୁନ୍ଦଙ୍କ ସମ୍ପର୍କୀୟ ଅଡ଼ି ବସିଥିଲେ। ଏହା ଉପଜିଲାପାଳଙ୍କ କ୍ଷମତା ବାହାରେ ଥିବାରୁ ସେ ଅସହାୟତା ପ୍ରକାଶ କରିଥିଲେ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଇ ଅଧିକ ଅର୍ଥ ସହାୟତା ପ୍ରଦାନ କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ଅନ୍ୟପଟେ ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ଧରି ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।