ଜଳିଗଲା ବସ୍‌, ୧୨ ଶିଶୁଙ୍କ ସମେତ ୧୮ ମୃତ

ଇସଲାମାବାଦ,୧୩ା୧୦: ପାକିସ୍ତାନରେ ଏକ ବସ୍‌ରେ ନିଆଁ ଲାଗିଯିବାରୁ ୧୨ ଶିଶୁଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀ ଏବଂ ଉଦ୍ଧାରକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ସମସ୍ତେ ବନ୍ୟା ସହାୟତା ଶିବିରରୁ ଘରକୁ ଫେରୁଥିଲେ। ବର୍ତ୍ତମାନ ଦେଶରେ ବନ୍ୟା ଜଳ ଧିରେ ଧିରେ କମିବାରେ ଲାଗିଛି ଏବଂ ଲୋକମାନେ ନିଜ ନିଜ ଘରକୁ ଫେରୁଛନ୍ତି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଜିଲା ସ୍ବାସ୍ଥ୍ୟ ଅଧିକାରୀ ବିନୋଦ କୁମାର କହିଛନ୍ତି, ଯେତେବେଳେ ସେମାନେ ସମସ୍ତେ ନିଜ ଘରକୁ ଫେରୁଥିଲେ ସେତେବେଳେ ଏହି ଘଟଣା ଘଟିଥିଲା। ପୋଲିସ ଅଧିକାରୀ ହାସିମ ବ୍ରୋହି କହିଛନ୍ତି, ବସ୍‌ର ଏୟାର କଣ୍ଡିଶନର ସିଷ୍ଟମ ଫେଲ୍‌ ହେବାରୁ ବସ୍‌ରେ ନିଆଁ ଲାଗିଯାଇଥିଲା।

କରାଚି ହାଇଦ୍ରାବାଦ ଏବଂ ସିନ୍ଧ ପ୍ରଦେଶର ଜାମଶୋରୋ ସହରକୁ ସଂଯୋଗ କରୁଥିବା ଏମ୍‌-୯ ମୋଟରଓ୍ବେରେ ଏହି ଘଟଣା ଘଟିଛି। ସଂସଦୀୟ ସ୍ବାସ୍ଥ୍ୟ ସଚିବ ସିରାଜ କାସିମ ସୋମ୍ରୋ କହିଛନ୍ତି, ଉଦ୍ଧାରକାରୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଜାମଶୋରୋ ଜିଲା କମିଶନର ଆସିଫ ଜାମେଲ କହିଛନ୍ତି: ‘ବସ୍‌ରେ ପ୍ରାୟ ୩୫ ଜଣ ଯାତ୍ରା କରୁଥିଲେ। ସେମାନେ ଦାଦୁ ଜିଲାର ନିଜ ଘରକୁ ଫେରୁଥିଲେ। ଏଥିପାଇଁ ଏକ ଘରୋଇ ଯାନ ବ୍ୟବହାର କରାଯାଇଥିଲା। ସିନ୍ଧ ପ୍ରଦେଶରେ ବନ୍ୟା ଯୋଗୁ ଦାଦୁ ଜିଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା।

Share