ରାସ୍ତା ମଝିରେ ଜଳିଗଲା ବସ୍‌: ୫୩ ଯାତ୍ରୀଙ୍କ ଜୀବନଗଲା, ବଢ଼ିପାରେ ମୃତ୍ୟୁସଂଖ୍ୟା

କାଇରୋ,୨୮।୧: ଏକ ଗ୍ୟାସ ବୋଝେଇ ଟ୍ରକ ସହ ଯାତ୍ରୀବାହୀ ବସ୍‌ର ଧକ୍କା ହେବାରୁ ରାସ୍ତା ମଝିରେ ନିଆଁ ଲାଗିଯାଇଛି। ଫଳରେ ୫୩ ଯାତ୍ରୀଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ୨୯ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଫ୍ରିକାର କେମ୍ରୁନର ପଶ୍ଚିମ ସହର ଡଚାଙ୍ଗରେ ଏହି ଦୁର୍ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ତେବେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ସୂଚନାନୁଯାୟୀ, ୭୦ ସିଟ୍‌ ବିଶିଷ୍ଟ ଏକ ଯାତ୍ରୀବାହୀ ବସ୍‌ ପଶ୍ଚିମ ସହର ଫୋମ୍ବାନରୁ ରାଜଧାନୀ ୟୋଣ୍ଡାକୁ ଆସୁଥିଲା। ଏହି ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବସ୍‌ଟି ଓଲଟି ପଡ଼ିଥିଲା। ଏହା ପରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀ ଚାପି ହୋଇଥିବା ବେଳେ ଆଉ କିଛି ନିଆଁ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।

ରାସ୍ତା ଖରାପ ଏବଂ ଚାଳକଙ୍କ ବେପରୁଆ ମନୋଭାବ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରଶାସନ କହିଛି।

Share