ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ କଟକର ଏହି ବ୍ୟବସାୟୀ

କଟକ ଅଫିସ,୧୬ା୭: କରୋନା ମହାମାରୀ ଆରମ୍ଭ ହେବା ସମୟରେ ନିଜର ସୁରକ୍ଷା ପାଇଁ ଲୋକେ ମୁହଁରେ ଯେଉଁ ମାସ୍କ ପିନ୍ଧୁଥିଲେ, ତାହା ଏବେ ଫ୍ୟାଶନର ରୂପ ନେଲାଣି। ବଜାରରେ ଏବେ ଅନେକ ଅଭିନବ  ଓ ଆକର୍ଷଣୀୟ ରୂପର ମାସ୍କ ମିଳୁଛି। କିନ୍ତୁ କଟକ ସହରର ୬୨ ବର୍ଷୀୟ ଆଲୋକ ମହାନ୍ତିଙ୍କ ମୁହଁରେ ଯେଉଁ ମାସ୍କ ରହିଛି, ତାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। କାରଣ ତାହା ସୁନାରେ ତିଆରି ମାସ୍କ, ଯାହାର ମୂଲ୍ୟ ସାଢ଼େ ୩ ଲକ୍ଷ ଟଙ୍କା ବୋଲି ଖୋଦ୍‌ ଆଲୋକ କହିଛନ୍ତି।
କଟକ ମେରିଆବଜାରରେ ଥିବା ଆଲୋକ ଫର୍ନିଚରର ମାଲିକ ଆଲୋକଙ୍କୁ ସହରର ସମସ୍ତେ ଗୋଲ୍ଡମ୍ୟାନ ଭାବେ ଜାଣନ୍ତି। ତାଙ୍କ ବେକରେ ୨ କେଜି ଓଜନର ସୁନାହାର ଝୁଲୁଥାଏ। ଏପରିକି ସେ ପିନ୍ଧୁଥିବା ଟୋପିଟି ମଧ୍ୟ ସୁନା ଖଚିତ। ହାତରେ ରତ୍ନଖଚିତ ବଡ଼ ମୁଦି। ବଲିଉଡ୍‌ର ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ବାପ୍ପି ଲାହିରୀଙ୍କୁ ଟିଭିରେ ଦେଖିବା ପରେ ୧୫ ବର୍ଷ ତଳେ ତାଙ୍କ ପରି ବେକରେ ସୁନା ଅଳଙ୍କାର ପିନ୍ଧିବା ସଉକ ଆରମ୍ଭ ହୋଇଛି ବୋଲି ଆଲୋକ କୁହନ୍ତି। କିଛି ଦିନ ତଳେ ମୁମ୍ବାଇର ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧିଥିବା ଖବର ଜାଣିବା ପରେ ସେ ନିଜେ ମଧ୍ୟ ସେହିପରି ଏକ ମାସ୍କ ପିନ୍ଧିବାକୁ ମନ ବଳାଇଥିଲେ। କଟକର ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଜରିଆରେ ଏନ୍‌-୯୫ ମାସ୍କ ଉପରେ ସୁନାର ପ୍ରଲେପ ଦିଆଯାଇ ତିଆରି ହୋଇଥିବା ଏହି ମାସ୍କ ମୁମ୍ବାଇରୁ ଅର୍ଡର ହୋଇଥିଲା। ଅର୍ଡର ଦେବାର ୨୨ ଦିନ ପରେ ମାସ୍କଟି କଟକରେ ପହଞ୍ଚତ୍ଥିଲା। ଏଥିରେ ପ୍ରାୟ ୧୦୦ ଗ୍ରାମର ସୁନା ଲାଗିଛି। ଏ ନେଇ ଆଲୋକ କୁହନ୍ତି, ଲୋକଙ୍କ ସେବାରେ କେବେ ହେଳା କରିନାହିଁ। ତେଣୁ ନିଜ ସଉକ ପୂରଣ କରିବାରେ କିଛି ଅସୁବିଧା ନାହିଁ ।

Share