Categories: ବାଣିଜ୍ୟ

ସମାଧାନ ହେବ କ୍ରେତା-ବିକ୍ରେତାଙ୍କ ସମସ୍ୟା

ଭୁବନେଶ୍ୱର,୨୦।୨: ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ରାଜ୍ୟ ସରକାର ଘରୋଇ ଆପାର୍ଟମେଣ୍ଟ ପଞ୍ଜୀକରଣ ଉପରେ ରୋକ ଲଗାଇଥିବାରୁ ଉଭୟ କ୍ରେତା ଓ ବିକ୍ରେତାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରିକି ବିକ୍ରେତା (ଆପାର୍ଟମେଣ୍ଟ ମାଲିକ)ମାନେ କୋଟି କୋଟି ଟଙ୍କାର କ୍ଷତି ସହୁଥିବା ବିଭିନ ସୂତ୍ରରୁ ଜଣାପଡ଼ିଛି। ନିକଟରେ ରାଜ୍ୟ ସରକାର ଆପାର୍ଟମେଣ୍ଟ ପଞ୍ଜୀକରଣ ସମ୍ପର୍କିତ ସମସ୍ୟାର ସମାଧାନ ସହ ନୂତନ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କନ୍‌ଫେଡେରେଶନ ଅଫ୍‌ ରିଅଲ ଇଷ୍ଟେଟ ଡେଭଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ସିଆରଇଡିଆଇ ବା କେଡ୍ରାଇ) ର ଓଡ଼ିଶା ଶାଖା (କ୍ରେଡାଇ ଓଡ଼ିଶା) ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ କ୍ରେଡାଇ ଓଡ଼ିଶାର ସଭାପତି ସ୍ବଦେଶ କୁମାର ରାଉତରାୟ, ସାମ୍ପାଦକ ଅନିଲ କୁମାର ଅଗ୍ରଓ୍ବାଲ, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ କ୍ରେଡାଇ ଭୁବନେଶ୍ୱର ଚାପ୍ଟରର ସଭାପତି ସୋଫିଆ ଫ୍ରିଦସ ପ୍ରମୁଖ ଯୋଗଦେଇ ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହ ଓଡ଼ିଶା ଆପାର୍ଟମେଣ୍ଟ ଓନରଶିପ ରୁଲ୍‌ସ-୨୦୨୪ ଏବଂ ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ନୂତନ ପଞ୍ଜୀକରଣ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଚର୍ଚ୍ଚା ଓ ଆଲୋଚନା କରାଯାଇଥିଲା। ସେହିଭଳି ସରକାରଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜୀକରଣରେ କେତେକ ମୌଳିକ ସମସ୍ୟା ରହିଥିବାବେଳେ ଏହାର ସମାଧାନ ସହିତ କ୍ରେଡାଇ ଓଡ଼ିଶାର କେତେକ ପ୍ରସ୍ତାବ ଉପରେ ମଧ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ବିଜ୍ଞପ୍ତି ପ୍ରକାଶ କରାଯାଉ ବୋଲି କ୍ରେଡାଇ ଓଡ଼ିଶା ପକ୍ଷରୁ ଦାବି କରାଯାଇଛି।

Share