କ୍ୟାଡର ପରିବର୍ତ୍ତନ କରିବେ ଟ୍ରାଫିକ ଡିସିପି

ଭୁବନେଶ୍ୱର,୨୯। ୧୦ (ବ୍ୟୁରୋ): ଓଡିଶା ବଦଳରେ ପଞ୍ଜାବ କ୍ୟାଡରରେ ଯୋଗ ଦେବାକୁ ଚାହୁଁଛନ୍ତି କମିଶନରେଟ୍‌ ପୋଲିସରେ ଟ୍ରାଫିକ ଡିସିପି ଭାବେ କାର୍ଯ୍ୟରତ ସୌମ୍ୟା ମିଶ୍ର। ଏ ନେଇ ସେ ଏକ ଚିଠି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଲେଖିଛନ୍ତି। କମିଶନର ଷଡ଼ଙ୍ଗୀ ଉକ୍ତ ଚିଠିକୁ ପୋଲିସ ମୁଖ୍ୟାଳୟ ଓ ଡିଜିପି ଅଭୟଙ୍କ ନିକଟକୁ ପଠାଇଛନ୍ତି। ସରକାରଙ୍କ ଅନୁମୋଦନ ମିଳିବା ପରେ ସୌମ୍ୟା ପଞ୍ଜାବ କ୍ୟାଡରେ ଯୋଗଦେବେ। ଉକ୍ତ ଚିଠିରେ ସୌମ୍ୟା ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସ୍ବାମୀ ଦୀପକ ପାରିକ ପଞ୍ଜାବ କ୍ୟାଡରର ଆଇପିଏସ୍‌ ଅଫିସର। ସେ ବତ୍ତର୍ର୍ମାନ ଲୁଧିଆନାରେ ଅତିରିକ୍ତ ଡିସିପି-୧ ଭାବେ କାର୍ଯ୍ୟରତ। ଏଥିପାଇଁ ସେ କ୍ୟାଡର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଚିଠି ସହ ସେ ତାଙ୍କର ବିବାହ ସାର୍ଟିଫିକେଟର କପି ମଧ୍ୟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ସେବା ଅଧିନିୟମ ଅନୁଯାୟୀ ବିବାହିତ ଆଇଏଏସ ଓ ଆଇପିଏସ୍‌ ଅଫିସରଙ୍କୁ ଗୋଟିଏ ରାଜ୍ୟର କ୍ୟାଡର ସୁବିଧା ମିଳିପାରିବ। ତେବେ ତାହା ହୋମ୍‌ ଷ୍ଟେଟ୍‌ ହୋଇ ନ ଥିବା ଜରୁରୀ। ସୌମ୍ୟାଙ୍କ ଘର ଉତ୍ତର ପ୍ରଦେଶରେ ହୋଇଥିବାବେଳେ ସ୍ବାମୀ ଦୀପକ ପାରିକଙ୍କ ଘର ରାଜସ୍ଥାନରେ। ୨୦୧୪ ବ୍ୟାଚର ଏହି ଦୁଇ ଆଇପିଏସ୍‌ ଅଫିସର ୨୦୧୫ରେ ବିବାହ କରିବା ପରେ ପଞ୍ଜାବ କ୍ୟାଡରରେ ଯୋଗ ଦେବାକୁ ଆବେଦନ କରିଥିଲେ।

Share