ପାର୍ବଣ ଋତୁରେ ସତର୍କ ରହିବାକୁ ଆହ୍ବାନ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):କୋଭିଡ୍‌ ପରିଚାଳନାରେ ଓଡ଼ିଶାର ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ରହିଛି। ଅଧିକାଂଶ ଜିଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା, ପୁରୀ ଭଳି ଅଧିକ ସଂକ୍ରମଣ ଥିବା ଜିଲାଗୁଡ଼ିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି। ଆଗକୁ ପାର୍ବଣ ଏବଂ ତା’ପରେ ଶୀତ ଋତୁର ପ୍ରଭାବ ଆସୁଛି। ତେଣୁ ପ୍ରଶାସନକୁ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ୍‌ ନିୟମାବଳୀକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବାକୁ ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ କୋଭିଡ୍‌ ପରିଚାଳନାର ସମୀକ୍ଷା କରି ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
କେରଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ୍‌ ପରିଚାଳନାରେ କେରଳ ଭଲ ପ୍ରଦର୍ଶନ କରିଆସୁଥିଲା। ମାତ୍ର ଓନାମ୍‌ ଉତ୍ସବ ପରେ ସବୁକିଛି ବଦଳି ଯାଇଛି। ସଂକ୍ରମଣ ବହୁ ପରିମାଣରେ ବଢିଯାଇଛି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସଂକ୍ରମଣର ଦ୍ୱିତୀୟ ଓ୍ବେଭ୍‌ ଦେଖାଦେଇଛି। ସାମାନ୍ୟ କୋହଳ କଲେ ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ତେଣୁ ପ୍ରଶାସନ କୋଭିଡ୍‌ ନିୟମର କଡ଼ାକଡ଼ି ପାଳନ ଉପରେ ଧ୍ୟାନଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଠିକ୍‌ ସମୟରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଞ୍ଜି ବିନିଯୋଗର ଲାଭ ଯେପରି ଲୋକମାନେ ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାସହ ଏମ୍‌ଜିଏନ୍‌ଆର୍‌ଇଜିଏ, ମିଶନ ଶକ୍ତି ଓ ଜୀବିକା ମିଶନ ଆଦି ଜୀବିକା କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଉପଯୁକ୍ତ ପ୍ରାଧାନ୍ୟ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଶିଳ୍ପ, ଖଣି, ନିର୍ମାଣ ସେବା, ପରିବହନ ଭଳି ସବୁ କ୍ଷେତ୍ରରେ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯିବ। ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ। ଯେକୌଣସି ଅର୍ଥନୈତିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରାଗଲେ ଦୃଢ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବୈଠକରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ବର୍ତ୍ତମାନ ଡାକ୍ତରଖାନା ଉପରେ ଚାପ ହ୍ରାସ ପାଉଥିବା କହିଥିଲେ। ଆଣ୍ଟିଭାଇରାଲ ଟାବ୍‌ଲେଟ୍‌ ‘ଫାଭିପିରାଭିର୍‌’ କୋଭିଡ୍‌ ଚିକିତ୍ସାରେ ଭଲ କାମଦେଉଥିବା ସେ କହିଥିଲେ। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କଟକ, ଖୋର୍ଦ୍ଧା ଓ ପୁରୀରେ ସଂକ୍ରମଣ କମୁଥିବା ସୂଚନା ଦେଇଥିଲେ। ରାଜ୍ୟରେ ଆରୋଗ୍ୟ ହାର ୯୧ ପ୍ରତିଶତରେ ପହଞ୍ଚତ୍ଛି ଏବଂ ଓଡିଶା ଏ କ୍ଷେତ୍ରରେ ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ରହିଛି। ଭୁବନେଶ୍ବରରେ ବୁଧବାରଠାରୁ ସେରୋ ସର୍ଭେ ଆରମ୍ଭ କରାଯିବା ନେଇ ମହାପାତ୍ର ସୂଚନା ଦେଇଥିଲେ।
କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁପାଳନ ପାଇଁ ପୋଲିସ ନେଇଥିବା ପଦକ୍ଷେପ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଥିଲେ। ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ବର୍ତ୍ତମାନ ସୁଦ୍ଧା ୪୦୦ ୟୁନିଟ୍‌ ପ୍ଲାଜମା ଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ‘ମୋ ସରକାର’ କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀମାନେ କୋଭିଡ୍‌ ରୋଗୀଙ୍କ ଠାରୁ ପାଇଥିବା ମତାମତ ଭିତ୍ତିରେ ପଦକ୍ଷେପ ନେବାକୁ ବୈଠକରେ ସ୍ଥିର କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି ବୈଠକକୁ ସଞ୍ଚାଳନ କରିଥିଲେ।

Share