ମେ’ ୧୩ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ, ଜାରି ହେଲା ନିର୍ବାଚନୀ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ସହ କିଛି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇ କହିଛନ୍ତି, କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଗାଇଡ୍‌ଲାଇନ୍‌ କରିଛନ୍ତି। ପୂର୍ବର ୪୮ ଘଣ୍ଟା ପରିବର୍ତ୍ତେ ଏବେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯିବ। ସେହି ଦୃଷ୍ଟିରୁ ପିପିଲିରେ ୧୩ ତାରିଖ ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ବନ୍ଦ କରାଯିବ। ଏହି ସମୟରେ ରାଜନୈତିକ ସଭା, ସମାବେଶ ହୋଇପାରିବ ନାହିଁ। କେବଳ ଭର୍ଚୁଆଲ ମାଧ୍ୟମରେ ରାଜନୈତିକ ଦଳମାନେ ପ୍ରଚାର କରିପାରିବେ। ଘରକୁ ଘର ବୁଲି ପ୍ରଚାରରେ ସର୍ବାଧିକ ୫ଜଣଙ୍କୁ ଏକାଠି ଅନୁମତି ରହିଛି। ଭୋଟଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀରର ତାପମାତ୍ରା ମପାଯିବ। ଲକ୍ଷଣ ଦେଖିଲେ ଲୋକଙ୍କୁ ଟୋକନ ଦିଆଯିବ। ସେମାନେ ସନ୍ଧ୍ୟା ୫ଟା ପରେ ଭୋଟ ଦେବେ। ସବୁ ଭୋଟରଙ୍କୁ ଭୋଟ୍‌ ଦେବା ଲାଗି ଗୋଟିଏ ଲେଖାଏ ଗ୍ଲୋଭ୍‌ସ ମିଳିବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ପୁଣି ଥରେ ପିପିଲି ଉପନିର୍ବାଚନ ତାରିଖ ବଦଳିଛି। ପୂର୍ବରୁ ମେ’ ୧୩ ତାରିଖର ଭୋଟ୍‌ ଗ୍ରହଣ ନେଇ ଘୋଷଣା କରାଯାଇଥିଲା। ହେଲେ ଏବେ ମେ’ ୧୬ରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ସେହିଭଳି ମେ’ ୧୯ରେ ଭୋଟ ଗଣତି ହେବ। ତେବେ ୧୩ରେ ଇଦ୍‌-ଉଲ୍‌-ଫିତର ପଡ଼ୁଥିବାରୁ ତାରିଖକୁ ନିର୍ବାଚନ କମିଶନ ପରିବର୍ତ୍ତନ କରିଛନ୍ତି।

Share