ଗଞ୍ଜାମ,୨।୧୧(ଡି.ଏନ.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣରେ ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ଅଲିଭ ରିଡଲେ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ପୂର୍ବାହ୍ନରେ ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ କୁମାର ନାୟକ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମ ନିକଟ ମା’ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୁଲ୍ୟା ନଦୀ କୁଳରୁ ଅଲିଭ ରିଡଲେ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଏକ ବୋଟ ସାହାର୍ଯ୍ୟରେ ସମୁଦ୍ରରେ ପାଟ୍ରୋଲିଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ୧ ତାରିଖରୁ ଉତ୍ତରରେ ପ୍ରୟାଗି ଠାରୁ ଦକ୍ଷିଣ ଦିଗରେ ଆର୍ଜିପଲ୍ଲୀ ଏବଂ ସମୁଦ୍ରର ୨୦କିଲୋମିଟର ଗଭିରତା ମଧ୍ୟରେ ଯନ୍ତ୍ର ଚାଳିତ ଡ଼ଙ୍ଗାରେ ମାଛ ମାରିବାକୁ ବାରଣ କରାଯାଇଛି। ବନ ବିଭାଗ ପକ୍ଷରୁ ଏହି କଟକଣା ପ୍ରାୟ ୮ମାସ ବଳବତର ରହିବ ବୋଲି ଜଣାପଡ଼ିଛି। ଡିଏଫ୍ଓଙ୍କ ସହ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ, ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ, ଫରେଷ୍ଟ ଗାର୍ଡ ମାଧବ ବେହେରା ପ୍ରମୁଖଙ୍କ ସହ ପାଟ୍ରୋଲିଂ ସ୍କ୍ବାର୍ଡ ପେଟ୍ରୋଲିଂରେ ସମୁଦ୍ରର ନୀଳ ଜଳରାଶୀ ମଧ୍ୟକୁ ଯାଇ ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡିଛି। ସୂଚନାଥାଉକି, ଋଷିକୁଲ୍ୟା ମୁହାଁଣକୁ ନଭେମ୍ବର ମାସରେ ସମୁଦ୍ର ଜଳପଥ ଦେଇ ହଜାର ହଜାର କିଲୋମିଟର ଜଳପଥ ଅତିକ୍ରମ କରି ସାମୁଦ୍ରିକ କଇଁଚ ଋଷିକୁଲ୍ୟା ମୁହାଁଣକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଆସିଥାନ୍ତି। ପର୍ଯ୍ୟାୟକ୍ରମେ ମିଳନ, ସାମୂହିକ ଗଣ ଅଣ୍ଡାଦାନ ଓ ଛୁଆ ଫୁଟିବା ପ୍ରକ୍ରିୟା ହୋଇଥାଏ।