ଡେରାବିଶ, ୫।୧୨(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ କେନ୍ଦ୍ରାପଡ଼ା କେନାଲର ଗିରିଗୋଲାଠାରୁ ଦାନପୁର ୨ କି.ମି. କେନାଲ ବନ୍ଧ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ବ୍ଲକ ଅଞ୍ଚଳର ଏହି କେନାଲ ବନ୍ଧ ରାସ୍ତାଟି ମୁଖ୍ୟରାସ୍ତା। ରାସ୍ତାଟି କେନ୍ଦ୍ରାପଡ଼ା ଓ କଟକ ସହରକୁ ସଂଯୋଗ କରିଛି। ଦୈନିକ ଶତାଧିକ ଯାନବାହନ ରାସ୍ତା ଦେଇ ଯାତାୟାତ କରୁଛି। ବ୍ଲକ ଅଧୀନ ମୁକୁନ୍ଦପୁର ଓ ଦାନପୁର ପଞ୍ଚାୟତ କେନାଲ ବନ୍ଧ ପାର୍ଶ୍ୱରେ ଅବସ୍ଥିତ ଥିବାରୁ ଏହି ଦୁଇ ପଞ୍ଚାୟତ ଅଧିବାସୀଙ୍କ ପାଇଁ ରାସ୍ତାଟି ଗୁରୁତ୍ୱ ବହନ କରୁଛି। କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଏହି କେନାଲ ବନ୍ଧ ରାସ୍ତା ମରାମତି ନ ହେବା ଫଳରେ ଖାଲଖମାରେ ପରିଣତ ହୋଇଛି। ତୁରନ୍ତ ମରାମତି ପାଇଁ ମୁକୁନ୍ଦପୁର ସରପଞ୍ଚ ଯୋଗାନନ୍ଦ ମହାନ୍ତି ଦାବି ଜଣାଇଛନ୍ତି। ଜଳ ସମ୍ପଦ ବିଭାଗୀୟ ସହକାରୀ ଯନ୍ତ୍ରୀ ସମୀର କୁମାର ପରିଡ଼ା କହିଛନ୍ତି, ରାସ୍ତା ନିର୍ମାଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏଷ୍ଟିମେଟ୍ କରି ପଠାଯାଇଛି। ଖୁବଶୀଘ୍ର ଦୁଇ କିଲୋମିଟର ରାସ୍ତାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ।