କେନ୍ଦ୍ରାପଡ଼ା ଅଫିସ, ୩ା୩: କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। ଜିଲାରେ କୃଷିକୁ ୬୯ ପ୍ରତିଶତ ପରିବାର ଜୀବିକା କରିଛନ୍ତି। ତେବେ ଜିଲାରେ କେନାଲ ଜଳସେଚିତ ଅଞ୍ଚଳ ଭାବେ ଯାହା କାଗଜପତ୍ରରେ ଦେଖାଯାଉଛି, ତାହା ବାସ୍ତବିକ ସତ୍ୟ ନୁହେଁ ବୋଲି ରାଜସ୍ବ ବୈଠକରେ ବହୁବାର ଆଲୋଚନା ହେଉଛି। ଚିହ୍ନଟ ଜମିର ଜଳକର ମିଳୁ ନ ଥିବା ବେଳେ ପ୍ରଶାସନିକସ୍ତରରେ ଏଥିପାଇଁ ସମନ୍ବୟ କମିଟି ବସିବା ସମ୍ଭବ ହେଉନାହିଁ।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଏ ନେଇ ବିଭିନ୍ନ ବିଭାଗକୁ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯାଇଥିଲା। ରାଜସ୍ବ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ମୋଟ ୮୫,୯୨୦ ଏକର ଜମି ପାଇଁ ଜଳକର ଧାର୍ଯ୍ୟ ହୋଇଛି। ଅପରପକ୍ଷରେ କୃଷି ବିଭାଗ, ଜଳ ସମ୍ପଦ ବିଭାଗ ଓ ଉଠା ଜଳସେଚନ ବିଭାଗ ତଥ୍ୟ ଅନୁଯାୟୀ, କେନାଲ ମାଧ୍ୟମରେ ୪୬,୭୨୭ ହେକ୍ଟର ଅର୍ଥାତ ୧,୧୫, ୪୪୫ ଏକର ଜମିକୁ ଜଳ ଯୋଗାଣ ହେଉଛି। ଯାହା ରାଜସ୍ବ ବିଭାଗ ତଥ୍ୟଠାରୁ ୨୯,୫୪୫ ଏକର ଅଧିକ। ଜିଲାର ଆଳି, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ନାହିଁ। ଡେରାବିଶ ତହସିଲ ଅଞ୍ଚଳରେ କୃଷି ବିଭାଗ ୨୬,୬୯୦ ଏକର ଜମିରେ ପାଣି ମାଡୁଥିବା ଦର୍ଶାଯାଇଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ୨୪,୨୩୧ ଏକର ଜମି ପାଇଁ କର ଧାର୍ଯ୍ୟ ହୋଇଛି। ସେହିପରି ଗରଦପୁର ତହସିଲ ଅଞ୍ଚଳରେ କୃଷି ବିଭାଗର ୨,୫୯୨ ଏକରରୁ ରାଜସ୍ବ ବିଭାଗ ୨,୦୯୪ ଏକର, କେନ୍ଦ୍ରାପଡ଼ାରେ ୩୩,୪୮୫ ଏକରରୁ ୩୦,୦୮୪ ଏକର, ମାର୍ଶାଘାଇରେ ୧୧,୦୩୦ ଏକରରୁ ୮,୦୫୦ ଏକର, ମହାକାଳପଡ଼ାରେ ୭,୪୩୦ ଏକରରୁ ୫,୪୧୯ ଏକର ଓ ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ୨୭,୩୬୨ ଏକରରୁ ୧୬,୦୮୭ ଏକର ଜମିରେ ଜଳକର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏ ସମ୍ପର୍କରେ ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ବ, ଜଳସମ୍ପଦ, ଉଠା ଜଳସେଚନ, କୃଷି ବିଭାଗୀୟ ଅଧିକାରୀଙ୍କର ଏକ ସମନ୍ବୟ କମିଟି ବସିବା ପାଇଁ ନିୟମ ହୋଇଛି। କମିଟିର ଏହି ବୈଠକରେ ଜଳସେଚିତ ଜମିର ଆକଳନ ସହ ଅର୍ଥକରୀ ଫସଲ ଉପତ୍ାଦନ ସମ୍ପର୍କରେ ଯୋଜନା ପ୍ରସ୍ତୁତ ହୋଇଥାଏ। ଫଳରେ ଜିଲାର କୃଷିନୀତି ସଫଳ ହେବା ସହ ରାଜସ୍ବ ଆଦାୟ ପଥ ସୁଗମ ହୁଏ। ତେବେ ଗତ ୧୦ ବର୍ଷ ମଧ୍ୟରେ ଏପରି ସମନ୍ବୟ ବୈଠକ ବସିଥିବା ଜଣାପଡିନାହିଁ। ଫଳରେ ରାଜସ୍ବ ଆଦାୟ ବାଧାପ୍ରାପ୍ତ ସହ ପ୍ରକୃତ ଜଳସେଚନ ଜମିର ଆକଳନ ହୋଇପାରୁନାହିଁ। ଏହାବ୍ୟତୀତ ପ୍ରତିବର୍ଷ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଜଳସେଚିତ ଚାଷ ଜମିକୁ ଘରବାଡି କିସମକୁ ପରିବର୍ତ୍ତନ କରାଯାଉଛି। ଏହି କିସମ ପରିବର୍ତ୍ତନ ଜିଲା ପାଇଁ ଏକ ସମସ୍ୟା ଆଣିଛି। ପ୍ରାୟ ହଜାରରୁ ଅଧିକ ଚାଷ ଜମିର କିସମ ପରିବର୍ତ୍ତନ ପାଇଁ ତହସିଲଗୁଡିକରେ ଆବେଦନ ପତ୍ର ପଡି ରହିଥିବା ସେ ଦର୍ଶାଇଛନ୍ତି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ଦାସ କୁହନ୍ତି, ରାଜ୍ୟ ସରକାର ପ୍ରତି ବ୍ଲକ ଅଞ୍ଚଳର ଚାଷ ଜମି ମଧ୍ୟରୁ ଅନୂ୍ୟନ ୩୫ ପ୍ରତିଶତ ଜମିକୁ ଜଳସେଚନ ପାଇଁ ଘୋଷଣା କରିଛନ୍ତି। ତେବେ ଜିଲାରେ ଗତ ୨୭ ବର୍ଷ ମଧ୍ୟରେ ଗୋଟିଏ ଇଞ୍ଚ କେନାଲ ଖୋଳାଯାଇନାହିଁ। ଜିଲାର ବହୁ କେନାଲ ପୋତି ହୋଇପଡିବାରୁ ଖେଳ ପଡିଆରେ ପରିଣତ ହୋଇଛି। ଉନ୍ନତୀକରଣ ନାମରେ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ଏପରି କି କେନାଲ ନିକଟସ୍ଥ ଜମି ଜଳସେଚିତ ହେଉନାହିଁ। ଫଳରେ ଚାଷୀ ଜଳକର ନ ଦେବା ପାଇଁ ଆନ୍ଦୋଳନ କରୁଛନ୍ତି। ତୁରନ୍ତ ଏଥିପ୍ରତି ଜିଲାପାଳ, ଆରଡିସି ଓ ଜଳସମ୍ପଦ ବିଭାଗ ନଜର ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍ ଦୁର୍ଗାଚରଣ ମହାରଣାଙ୍କୁ ପଚାରିବାରେ, ନୂତନ କେନାଲ ଖନନ ସମୟରେ ରାଜସ୍ବ ବିଭାଗ ସହିତ ଜଳସମ୍ପଦ ବିଭାଗ ଓ ଅନ୍ୟ ବିଭାଗର ସମନ୍ବୟ କମିଟି ବସିଥାଏ। ଏଥିରେ ଜଳସେଚନଯୋଗ୍ୟ ଆୟାକଟକୁ ହିସାବକୁ ନିଆଯାଇଥାଏ। ଜିଲାରେ ଜଳକର ଆଦାୟ ହେଉଥିବା ଜମିର ପୁନଃ ସମୀକ୍ଷା ହେଲେ ରାଜସ୍ବ ବଢ଼ିବା ସହିତ କୃଷି ନୀତି ସଫଳ ହେବ ବୋଲି ସେ କହିଛନ୍ତି।