Categories: Uncategorized

ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ହେବ ମାପକାଠି

ଯାଜପୁର ଅଫିସ,୨।୩: ରାଜ୍ୟର ଅନ୍ୟତମ ୧୫୩ ବର୍ଷର ପୁରୁଣା ଯାଜପୁର ପୌର ପରିଷଦରେ ଦୀର୍ଘ ୩ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଛି। ବୁଧବାରଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେଉଥିବାରୁ ଏହି ପୁରୁଣା ସହରରେ ଆଶାୟୀ ପ୍ରାର୍ଥୀ ଏବଂ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ପ୍ରମୁଖ ରାଜନୈତିକ ଦଳ ବିଜେଡି ସମେତ ଭାଜପା ଓ କଂଗ୍ରେସ ସମସ୍ତ ୧୮ ୱାର୍ଡରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ଉନ୍ନତିମୂଳକ କାମ ମାପକାଠି ହେବ ବୋଲି ସହରବାସୀ କହିଛନ୍ତି।
୧୮୬୯ରେ ତତ୍କାଳୀନ ବ୍ରିିଟିଶ୍‌ ସରକାରଙ୍କ ଦ୍ୱାରା ଯାଜପୁର ପୌରପାଳିକା ଗଠନ ହୋଇଥିଲା। ଏହି କ୍ରମରେ ୨୦୧୮ରେ ଏହି ପୌର ପରିଷଦ ପକ୍ଷରୁ ବେଶ୍‌ ଧୁମ୍‌ଧାମ୍‌ରେ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଥିଲା। ଯାଜପୁର ପୌର ପରିଷଦର ନିର୍ବାଚନ ଅବଧି ୩୦ା୯ା୨୦୧୮ରେ ଶେଷ ହୋଇଥିଲା। ପରିଷଦ ଅଧ୍ୟକ୍ଷା/ଅଧ୍ୟକ୍ଷ ନିର୍ବାଚନ ୧୯୯୨ରେ ପ୍ରତ୍ୟକ୍ଷ ଭାବେ ହୋଇଥିବାବେଳେ ଦୀର୍ଘ ୩୦ ବର୍ଷ ପରେ ପୁଣି ଏହି ଧାରାର ପୁନରାବୃତ୍ତି ହେଉଛି। ଏଥର ପୌରାଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ କିଏ ଉପଯୁକ୍ତ ପ୍ରାର୍ଥୀ ହେବ, ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଏହି ପୁରାତନ ମ୍ୟୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ରେ ରାସ୍ତାଘାଟ, ପରିମଳ, ଡ୍ରେନେଜ୍‌, ଆଲୋକୀକରଣ ବ୍ୟବସ୍ଥାର ସୁଧାର ହୋଇଥିଲେ ବି ଆହୁରି ଅନେକ କାମ ବାକି ଅଛି। ସହରବାସୀ ମଶା ଉପଦ୍ରବ ଓ ଆବର୍ଜନା ନିଷ୍କାସନକୁ ନେଇ ହଇରାଣ ହେଉଛନ୍ତି। କେତେକ ୱାର୍ଡ଼ରେ ବିନା ଯୋଜନାରେ ନୂତନ କଂକ୍ରିଟ୍‌ ରାସ୍ତା ନିର୍ମାଣ ହୋଇଛି ା ପରିସ୍ଥିତି ଏପରି ହୋଇଛି ଯେ, ସେହି ରାସ୍ତା ଲାଗି ବର୍ଷାଜଳ ଲୋକଙ୍କ ଘରେ ପ୍ରବେଶ କରୁଛି ା ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୀମା ଲଂଘିଛି। ଅନ୍ୟପକ୍ଷେ ପ୍ରଶାସନିକ ଅଧିକାରୀ ଶାସନ ସମୟରେ ଯାଜପୁର ସହରର ଆଲୋକୀକରଣ, ସ୍ବାସ୍ଥ୍ୟ ଓ ପାନୀୟଜଳ ଯୋଗାଣ, କୁସୁମାର ସୌନ୍ଦର୍ଯ୍ୟକରଣ, ବରାହ ନାଥ, ବିରଜା ପାନ୍ଥ ନିବାସ ଇତ୍ୟାଦି ବହୁତ ଉନ୍ନତିମୂଳକ କାମ କରାଯାଇଛି। ତେଣୁ ସେହି ଉନ୍ନତିମୂଳକ କାମ ସହ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଭୋଟରମାନେ ଏବେଠୁ ପରଖୁଛନ୍ତି।
ଅନ୍ୟପକ୍ଷେ କେତେଜଣ ଭୋଟର ନୂଆ ଚେହେରାକୁ ପସନ୍ଦ କରୁଥିବା ଚର୍ଚ୍ଚା ହେଉଛି। ସହରରେ ମୋଟ୍‌ ୨୯,୫୧୫ ଭୋଟର ଅଛନ୍ତି। ସେହି ଭୋଟରମାନେ ୩୬ଟି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ପରିପ୍ରେକ୍ଷୀରେ ଟିକେଟ ପାଇଁ ବହୁ ଆଶାୟୀ ନେତାଙ୍କ ଘରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।