ଭୁବନେଶ୍ୱର/ସମ୍ବଲପୁର, ୩୦।୮(ବ୍ୟୁରୋ): ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( ଏନ୍ସିବି) ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମହେଶତାଲା ଥାନା ଦୌଲତପୁରର ରାମ ସାଗର ସିଂ (୬୦) ଓ ସନ୍ତୋଷ ରାୟ (୨୮)। ଚାଲାଣରେ ବ୍ୟବହୃତ ଟ୍ୟାଙ୍କର ସହ ସେଥିରେ ଥିବା ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୮ କୋଟି ୫୦ ଲକ୍ଷ ଟଙ୍କା ହେବ। ଏନେଇ ଏନ୍ସିବି ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ପଚରାଉଚରା କରୁଛି।
ପୋଲିସ ଜାଣିପାରିଲାନି କେମିତି
ଜାତୀୟ ରାଜପଥରେ ରାଜ୍ୟ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଉଛି। ଅଭିଯୁକ୍ତଦ୍ୱୟ ଆନ୍ଧ୍ରପ୍ରଦେଶରୁ ଟ୍ୟାଙ୍କରରେ ଗଞ୍ଜେଇ ଆଣି ସମ୍ବଲପୁରରେ ପହଞ୍ଚତ୍ ଯାଇଥିଲେ। ଆଉ କିଛି ଘଣ୍ଟାପରେ ରାଉରକେଲାର ଠିକଣା ଜାଗାରେ ପହଞ୍ଚାଇ ଦେଇଥାନ୍ତେ। ତେବେ ତେଲ ଟ୍ୟାଙ୍କରରେ ଏତେ ପରିମାଣର ଗଞ୍ଜେଇ ଆସୁଥିଲେ ମଧ୍ୟ ପୋଲିସ କେମିତି ଜାଣିପାରିଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜାତୀୟ ରାଜପଥରେ ପାଟ୍ରୋଲିଂରେ ନିୟୋଜିତ ଥିବା କେତେଜଣ ପୋଲିସ କର୍ମଚାରୀ ଏଭଳି କାରବାରରେ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି।