Categories: ଖେଳ

୬ ମାସର ଝିଅକୁ କାଖରେ ଧରି ମ୍ୟାଚ୍‌ ଖେଳିବାକୁ ଷ୍ଟାଡିୟମକୁ ଆସିଲେ ଅଧିନାୟିକା

ଖ୍ରୀଷ୍ଟଚର୍ଚ୍ଚ,୬।୩: କୌଣସି ମହିଳା ଖେଳାଳିଙ୍କ ମା ହେବା ପରେ ଖେଳକୁ ଫେରିବା ସହଜ କଥା ନୁହେଁ। ସମୟ ସମୟରେ, ଅନେକ କ୍ରୀଡ଼ାରେ ମହିଳାମାନେ ମା’ ହେବା ପରେ ଟ୍ରାକ୍‌କୁ ଫେରି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏବେ ନ୍ୟୁଜିଲାଣ୍ଡରେ ମହିଳା ବିଶ୍ୱକପ ୨୦୨୨ ଆୟୋଜିତ ହେଉଛି। ବିଶ୍ୱକପରେ ପାକିସ୍ତାନ ଦଳର ଅଧିନାୟକ ବିସମା ମାରୋଫ ତାଙ୍କ ୬ ମାସର ଝିଅ ସହିତ ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ବିସମା ରବିବାର ମାଙ୍ଗୁନିରେ ପହଞ୍ଚିବା ପରେ ତାଙ୍କ ଝିଅ ସହ ନଜର ଆସିଥିଲେ।
ଆଇସିସି ଏହାର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ବିସମାଙ୍କ ଏକ ଫଟୋ ଶେୟାର କରିଛି। ଫଟୋରେ ସେ ତାଙ୍କ ଝିଅ ସହିତ ନଜର ଆସିଛନ୍ତି। ଆଇସିସି ଫଟୋର କ୍ୟାପସନ ଲେଖିଛି, ଭାରତ ବିପକ୍ଷ ମ୍ୟାଚ ପାଇଁ ପ୍ରସ୍ତୁତ ପାକିସ୍ତାନ ଅଧିନାୟକ। ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଜଣେ ପ୍ରଶଂସକ ଏହାକୁ ୨୦୨୨ ବର୍ଷର ସର୍ବୋତ୍ତମ ଫଟୋ ବୋଲି କହିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି ‘ସୁପର ରବିବାର।’ ସେହିପରି ଜଣେ ପ୍ରଶଂସକ ଏହାକୁ ସବୁଠାରୁ ଉତ୍ସର୍ଗୀକୃତ ମାତା ବୋଲି କହିଥିଲେ। ଅଗଷ୍ଟ ୨୦୨୧ରେ ବିସମା ମା’ ହୋଇଥିଲେ।
ଗର୍ଭାବସ୍ଥାରେ ବିସମା କ୍ରିକେଟରୁ ଅବସର ନେବାକୁ ଯାଉଥିଲେ। ମା’ ହେବା ପରେ କ୍ରିକେଟ ପଡ଼ିଆକୁ ଫେରିବା କେବଳ ପାକିସ୍ତାନର ମହିଳା କ୍ରିକେଟରଙ୍କ ପାଇଁ ନୁହେଁ, ବରଂ ପ୍ରତ୍ୟେକ ଦେଶର ଖେଳାଳିଙ୍କ ପାଇଁ ପ୍ରେରଣା ହୋଇପାରେ। ପାରିବାରିକ ସମର୍ଥନ, ଖେଳ ପ୍ରତି ଭଲପାଇବା ବିସମାଙ୍କୁ ପଡ଼ିଆକୁ ଫେରିବାର କାରଣ ବୋଲି ସେ କହିଥିଲେ।

Share