Categories: ଖେଳ

୧୧୨ କିଲୋ ଓଜନର କ୍ରିକେଟର୍‌ଙ୍କ ଚୟନକୁ ନେଇ ରାଗିଲେ ଅଧିନାୟକ

ଇସଲାମାବାଦ,୧୭।୩: ପାକିସ୍ତାନ ଦଳରେ ସର୍ବଦା ପ୍ରତିଭା ସମ୍ପନ୍ନ ଖେଳାଳି ଥାନ୍ତି। କିନ୍ତୁ ଏହା ସତ୍ତ୍ୱେ ଏହି ଦଳ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରୁନାହିଁ। ଦଳ ଚୟନ ଯୋଗୁ ଏଭଳି ହେଉଥିବା ପୂର୍ବତନ କ୍ରିକେଟର୍‌ମାନେ ମତ ଦେଇଛନ୍ତି। ନିକଟରେ ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପାକିସ୍ତାନର ଦଳ ଚୟନ କରାଯାଇଛି, ଯାହାକୁ ନେଇ ଅନେକ ବିତର୍କ ଚାଲିଛି। ସମ୍ପ୍ରତି ଅଧିନାୟକ ବାବର ଆଜାମ ଦଳର ଚୟନ ଉପରେ ପ୍ରଶ୍ନ କରିଛନ୍ତି ଏବଂ ମୁଖ୍ୟ କୋଚ ମିସବାହ ଉଲ ହକ ମଧ୍ୟ ଖେଳାଳି ଚୟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୧୧୨ କିଲୋ ଓଜନ ବିଶିଷ୍ଟ କ୍ରିକେଟର ଶରଜିଲ ଖାନଙ୍କ ଚୟନରେ ମିସବା-ଉଲ-ହକ ଅସନ୍ତୁଷ୍ଟ ଅଛନ୍ତି। ଖବର ଅନୁଯାୟୀ, ଶରଜିଲ ଖାନଙ୍କ ଫିଟନେସରେ ପାକିସ୍ତାନର ମିସବା ଖୁସି ନୁହଁନ୍ତି। ପାକିସ୍ତାନ ସୁପର ଲିଗର ଷଷ୍ଠ ସିଜନରେ ଶରଜିଲ୍‌ ଖାନ ଚମତ୍କାର ପ୍ରଦର୍ଶନ କରିଥିଲେ। ୫ଟି ମ୍ୟାଚରେ ସେ ୨୦୦ ରନ ସ୍କୋର କରିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ ହାର ୧୭୦ ରୁ ଅଧିକ ଥିଲା। ଏହି ପ୍ରଦର୍ଶନ ଆଧାରରେ ପାକିସ୍ତାନ ଦଳରେ ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନ ଶରଜିଲ୍‌ଙ୍କୁ ଚୟନ କରାଯାଇଥିଲା।

Share