ଗଞ୍ଜାମ,୨୯ା୮(ଡି.ଏନ୍.ଏ.): ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି କାର୍ ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଦେବରାଜ (୩୨)ବର୍ଷ। ଖବର ପାଇ ଗଞ୍ଜାମ ଥନା ଆଇଆଇସି ସୁଦୀପ୍ତ କୁମାର ସାହୁ, ଏସ୍ଆଇ ନାରାୟଣ କହଁର, ମହିଳା ଏସ୍ଆଇ ସୁପ୍ରଭା ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି l ଆହତମାନେ ହେଲେ ଅର୍କ ସରକାର,ସନଓ୍ବଜ, ସୁରଜ କୁମାର ମହାନ୍ତ, ସର୍ଭେସ ମହାନ୍ତ, କୁମାର ଜନ୍ମେଜୟ ବୋଲି ଜଣାପଡ଼ିଛି। ମୃତକ ଏବଂ ଆହତ୍ମାନେ ସମସ୍ତେ ଅଣ ଓଡ଼ିଆ। ସେମାନଙ୍କ ଘର ଝାଡ଼ଖଣ୍ଡ। ସେମାନେ ଭୁବନେଶ୍ୱର ଆଇଆରଟି ଇଞ୍ଜିନିୟର ସ୍କୁଲ ଛାତ୍ର। ଗତକାଲି ଅର୍ଥାତ ରବିବାର ଏକ କାର୍ ନଂ ଓଡି ୦୨ ବିଡବ୍ଲ୍ୟୁ ୪୨୭୬ରେ ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଆସିଥିଲେ। ବୁଲାବୁଲି ପରେ ଗୋପାଳପୁରରୁ ରାତିରେ ଫେରୁଥିବା ବେଳେ ଅଗସ୍ତିନୂଆଗାଁ ଛକ ନିକଟରେ ଡିଭାଇଡରକୁ ପିଟି ଅପର ପାର୍ଶ୍ୱରେ ଥିବା ଏକ ଟ୍ରକ୍ ନଂ ଆର୍ ଜେ ୪୭ ଜିଏ ୧୦୮୩ ଜୋର୍ରେ ଧକ୍କା ଦେଇଥିଲା। କାର୍ଟି ଦ୍ରୁତଗତିରେ ଆସୁଥିବା ଏବଂ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।