ଜଗା ଦର୍ଶନ କରି ଫେରୁଥିବା ବେଳେ ଓଲଟିଲା କାର୍‌

ପଟାଙ୍ଗି,୭ା୮(ଶରତ ଧଳ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଘରକୁ ଫେରୁଥିବା ସମୟରେ ବାଟରେ ଘଟିଛି ଏକ ଅଘଟଣ। ମାତ୍ର ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ କାହାରି କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ପଞ୍ଚାୟତ ନିକଟସ୍ଥ ଜାତୀୟ ରାଜପଥ ଉପରେ।

ସୂଚନାନୁଯାୟୀ, ନବରଙ୍ଗପୁର ଜିଲାର କିଛି ପରିବାର ସଦସ୍ୟ ପୁରୀରୁ ଏକ କାର୍‌ ନଂ ଓଡି ୨୪ ଜେ ୩୬୩୬ ଯୋଗେ ଫେରୁଥିବା ସମୟରେ ସୋମବାର ସକାଳେ ଉକ୍ତ ପଞ୍ଚାୟତ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉକ୍ତ କାର୍‌ଟି ଦ୍ରୁତ ଗତିରେ ନବରଙ୍ଗପୁର ଅଭିମୁଖେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ରହିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟକୁ ଧକ୍କା ଦେଇ ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଥିଲା। ତେବେ କାର୍‌ରେ ବସିଥିବା ୮ ଯାତ୍ରୀଙ୍କର କୌଣସି କ୍ଷତି ହୋଇ ନ ଥିବା ବେଳେ ସମସ୍ତ ଯାତ୍ରୀ କାର୍‌ର ପଛ ଡୋର୍‌ ଗ୍ଲାସ ବାହାରକୁ ବାହାରିଥିଲେ। ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ସମସ୍ତ ଯାତ୍ରୀ ବସ୍‌ ଯୋଗେ ନବରଙ୍ଗପୁର ଚାଲି ଯାଇଥିଲେ। ଘଟଣାସ୍ଥଳରେ କାର ଚାଳକ ରାହୁଲ ଭୋଳ ଏବଂ ଅନ୍ୟ ଜଣେ ତାଙ୍କ ସାଥୀ ଚନ୍ଦନ ମହାନ୍ତିଙ୍କୁ ପୋଲିସ ଦୁର୍ଘଟଣା ସମ୍ପର୍କରେ ପଚରାଉଚରା କରି ରାସ୍ତା ଉପରେ ପଡ଼ିରହିଥିବା କାର୍‌କୁ ଉପସ୍ଥିତ ଗ୍ରାମବାସୀଙ୍କ ସହାୟତାରେ ରାସ୍ତାକଡ଼କୁ ହଟାଇଥିଲା।

ସୂଚନା ଥାଉକି, କାର୍‌ଟି ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟକୁ ଏତେ ଜୋରରେ ଧକ୍କା ଦେଇଥିଲା କି ଉକ୍ତ ଖୁଣ୍ଟଟି ଉପାଡ଼ି ହୋଇ ରାସ୍ତାରେ ପଡ଼ିଥିଲା।

Share