ବରଗଡ଼ ଅଫିସ୍/ସରଣ୍ଡା,୧୫।୮: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମରେ ରାସ୍ତା ଖରାପ ଯୋଗୁ ଜଣେ ରୋଗୀଙ୍କୁ ଖଟିଆରେ ବୋହିବା ଏବଂ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକ ହେଲେ, ଉକ୍ତ ଗ୍ରାମର ସେନାପତି ଝାଙ୍କର ।
ପ୍ରକାଶ ଯେ, ସେନାପତି ଶୁକ୍ରବାର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଏକ ଚାରିଚକିଆ ଗାଡ଼ିର ବନ୍ଦୋବସ୍ତ କରିଥିଲେ । ମାତ୍ର ରାସ୍ତା ଖରାପ ଯୋଗୁ ଗ୍ରାମକୁ ଗାଡ଼ିଟି ଯାଇପାରି ନ ଥିଲା। ପ୍ରାୟ ୧ କି.ମି ଦୂର ପତ୍ରାପାଲି(ଗେଜୋପଡ଼ା)ରେ ଗାଡ଼ିଟି ଅଟକି ରହିଥିଲା । ଏହାପରେ ପରିବାର ଲୋକେ ଏକ ଖଟିଆରେ ତାଙ୍କୁ ବୋହିବା ପରେ ଗାଡ଼ିରେ ନେଇଥିଲେ। ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଗଲା। ମାତ୍ର ଶୁକ୍ରବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେନାପତିଙ୍କ ମୃତ୍ୟୁ ଘଟିଛି।