ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନାନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଯଶୋଟିକିରୀଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଟେ ପରିବାରର ୫ ଜଣ ଲୋକ ଗୋଆରୁ ପୁରୀ ଯାଇ ପୂଜା ସାରି ଖଡ଼ଗପୁର ଅଭିମୁଖେ ଯାଉଥିଲେ। କାର୍‌ଟି ଭାରସାମ୍ୟ ହରାଇ ଯଶୋଟିକିରିଠାରେ ଏକ ଡିଭାଇଡରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଟୋଲ ଗେଟ୍‌ ଆମ୍ବୁଲାନ୍ସ ଉଦ୍ଧାର କରି କାର୍‌ରେ ଥିବା ୫ ଜଣଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ବାପ-ଝିଅ ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମୃତ ଝିଅଙ୍କ ବୟସ ୫ ବର୍ଷ ହୋଇଥିବା ବେଳେ ବାପାଙ୍କ ବୟସ ୫୫। ଅନ୍ୟ ୩ ଜଣ ଗୁରୁତର ରହିଛନ୍ତି। ଗୁରୁତରଙ୍କ ମଧ୍ୟରେ ଶାଶୁ ଓ ବୋହୂ, ଶ୍ୱଶୁର ରହିଛନ୍ତି।

Share