ଆଜରବାଇଜାନ୍ରେ କାର୍ପେଟ୍ ବୁଣିବା ଏକ ବହୁ ପୁରାତନ କଳା। ଏହାର କାର୍ପେଟ୍ଗୁଡିକରେ ନିଖୁଣ କାରିଗରୀ ଦେଖିବାକୁ ମିଳେ। ଏହାକୁ ଯେ କେବଳ ଚଟାଣ ସଜାଇବା ପାଇଁ ବ୍ୟବହାର କରାଯାଏ ତାହା ନୁହେଁ, କାନ୍ଥ, ସୋଫା, ଚେୟାର୍, ବେଡ୍, ଏମିତିକି ଟେବୁଲ୍ର ଶୋଭା ବଢାଇବା ପାଇଁ ବି ବ୍ୟବହାର କରାଯାଏ। ଆଜରବାଇଜାନ୍, ବାକୁର ନିବାସୀ ଫେଗ୍ ଅହମ୍ମଦ ହେଉଛନ୍ତି ଜଣେ ଅନ୍ତର୍ଜାତୀୟ ସ୍ତରର କାର୍ପେଟ୍ କାରିଗର। ସେ ପାରମ୍ପରିକ ଚାଦରକୁ ଚମତ୍କାର ଆଧୁନିକ ଆର୍ଟରେ ରୂପାନ୍ତରିତ କରିବାରେ ଧୂରୀଣ। ତାଙ୍କର କାର୍ପେଟ ଅନ୍ୟ କାର୍ପେଟ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମେ ତ ତାଙ୍କ କାର୍ପେଟ୍ର କାମ ପାରମ୍ପରିକ କାର୍ପେଟ୍ ଭଳି ଲାଗେ କିନ୍ତୁ ପରେ ପରେ ସେ ତାକୁ ଏଭଳି ବୁଣନ୍ତି ଯେ, ତାକୁ ଦେଖିଲେ ଲାଗେ ସତେ ଯେମିତି କାର୍ପେଟ୍ଟି ହଠାତ୍ ପାଣି ଭଳି ବୋହିବାକୁ ଲାଗୁଛି। ଆଉ ବିଭିନ୍ନ ରଙ୍ଗର ସ୍ରୋତ ଛୁଟିବାକୁ ଲାଗୁଛି। ଅନ୍ୟ କିଛି କାର୍ପେଟ୍କୁ ସେ ଏଭଳି ୩ଡି ଲୁକ୍ ଦିଅନ୍ତି, ତାକୁ ଦେଖିଲେ ଲାଗେ ଯେମିତି ପାହାଚ ପାହାଚ ହୋଇ ତାହା ଏକ ଗଭିର ଗାତ ପାଲଟି ଯାଉଛି। କହିବାକୁ ଗଲେ ତାଙ୍କର ସବୁ କାର୍ପେଟ୍ ଗୋଟେ ଗୋଟେ ମାଷ୍ଟର ପିସ୍ ଅଟେ।