ପୁରୀ ଅଫିସ ୨୧।୬:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ସୋସିଆଲ ମିଡିଆରେ ବ୍ୟଙ୍ଗଚିତ୍ର ଭାଇରଲ ହୋଇଛି। ଅଣସର ନୀତି ଅବସରରେ ପଞ୍ଜାବ ଲୁଧିଆନାର ଇସ୍କନ ସଂସ୍ଥା ପକ୍ଷରୁ ଏହି ବ୍ୟଙ୍ଗଚିତ୍ର ପୋଷ୍ଟ କରାଯାଇଛି। ଏକ ଫଟୋରେ ମହାପ୍ରଭୁ ଥର୍ମୋମିଟର ପାଟିରେ ଦେଇଥିବା ଏବଂ ଅନ୍ୟ ଫଟୋରେ ଶ୍ରୀବିଗ୍ରହ ଶୀତ ପୋଷାକ ପିନ୍ଧି ଶୋଇଥିବା ଦର୍ଶାଯାଇଛି। ଏହାକୁ ପୁରୀର ସେବାୟତ ଓ ବୁଦ୍ଧିଜୀବୀମାନେ ତୀବ୍ର ବିରୋଧ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଆପତ୍ତିଜନକ ଚିତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଛି। ଏହା ଦେଖିବା ପରେ ସେବାୟତମାନେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ନିକଟକୁ ବ୍ୟଙ୍ଗଚିତ୍ରକୁ ଟୁଇଟ୍ କରି ପ୍ରତିବାଦ ଜଣାଇଛନ୍ତି। ଟୁଇଟ୍ରେ ଏଭଳି ପୋଷ୍ଟ କରିଥିବା ଇସ୍କନ ସଙ୍ଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଏହି ଘଟଣା ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଏ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।