୪ ସ୍ବତନ୍ତ୍ର କୋର୍ଟରେ ହେବ ନେତାଙ୍କ ବିରୋଧରେ ମାମଲାର ଶୁଣାଣି

କଟକ,୨୭।୧୧(ପି.ଟି.): ବର୍ତ୍ତମାନର ଓ ପୂର୍ବତନ ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ଶୁଣାଣି ପାଇଁ ୪ କୋର୍ଟର ଭିତ୍ତିଭୂମି ବିକାଶ କରି ସେଗୁଡ଼ିକୁ ସ୍ବତନ୍ତ୍ର ଅଦାଲତର ମାନ୍ୟତା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଗୁରୁବାର ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରାଯାଇଛି।
ଏକ ଆବେଦନର ଶୁଣାଣି ଚାଲିଥିବାବେଳେ ଗୃହ ବିଭାଗର ଜଣେ ଅତିରିକ୍ତ ସଚିବ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ଦୁଇଟି ଅତିରିକ୍ତ ଜିଲା ଜଜ୍‌ କୋର୍ଟକୁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ଦିଆଯାଇଛି। ସେହିପରି ଭୁବନେଶ୍ୱର ଓ ସୁନ୍ଦରଗଡ଼ର ୨ ମାଜିଷ୍ଟ୍ରେଟ୍‌ କୋର୍ଟରେ ନେତାମାନଙ୍କ ବିରୋଧରେ ମାମଲାଗୁଡ଼ିକର ବିଚାର ଆରମ୍ଭ ହୋଇସାରିଛି। ଏହାବାଦ୍‌ ହାଇକୋର୍ଟଙ୍କଠାରୁ ପ୍ରସ୍ତାବ ମିଳିବା ମାତ୍ରେ ଅଧିକ ୧୦ଟି କୋର୍ଟକୁ ସ୍ବତନ୍ତ୍ର ଅଦାଲତରେ ପରିଣତ କରାଯିବ ବୋଲି ଉକ୍ତ ସତ୍ୟପାଠରେ ଦର୍ଶାଯାଇଛି।
ପ୍ରକାଶ ଯେ, ରାଜ୍ୟ ସରକାର ପୂର୍ବରୁ ୩ ରାଜସ୍ବ ଡିଭିଜନରେ ଗୋଟିଏ ଲେଖାଏ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିପରି ନେତାଙ୍କ ବିରୋଧରେ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଲାଗି ୧୧ ଜୁଡିସିଆଲ ମାଜିଷ୍ଟେଟ୍‌ (ଫାଷ୍ଟକ୍ଲାସ୍‌) କୋର୍ଟ ଖୋଲିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ସ୍ପେଶିଆଲ୍‌ କୋର୍ଟ ପାଇଁ ସ୍ବତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ସକାଶେ ଆଇନ ବିଭାଗକୁ ଅନୁରୋଧ କରାଯାଇଛି। ଏହାସହ ସାକ୍ଷୀଙ୍କୁ ସମନ ଓ ଓ୍ବାରେଣ୍ଟ ଜାରି ଲାଗି ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ମାନଙ୍କୁ ନୋଡାଲ ଅଫିସର ରୂପେ ଅତିରିକ୍ତ ଏସ୍‌ପି ନିଯୁକ୍ତି ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

Share