ଶିକ୍ଷକଙ୍କ ନାଁରେ ମାମଲା, ରାତି ୧୨ଟାରେ ଛାତ୍ରୀଙ୍କୁ କ୍ୱାର୍ଟର୍ସକୁ ଡାକି…

କାଲିମେଳା, ୩ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଜାତି ଓ ଜନଜାତି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଜନୈକ ଶିକ୍ଷକ ବଳାତ୍କାର କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଶୁକ୍ରବାର କାଲିମେଳା ଥାନାରେ ଅଭିଯୋଗ ହେବା ପରେ ଶିକ୍ଷକଙ୍କୁ ଅଟକ ରଖାଯାଇଥିବା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି। ଏନେଇ କାଲିମେଳା ଥାନାରେ ନଂ.୧୪୩/୨୪ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚାଲିଛି। ପୀଡ଼ିତା ଛାତ୍ରୀ ଓ ଅଭିଯୁକ୍ତ ଶିକ୍ଷକଙ୍କ ଡାକ୍ତରୀ ମାଇନା ପାଇଁ ପଠାଯାଇଛି।
ଶିକ୍ଷକ ଜଣକ ୨୦୧୧ରୁ ୧୩ ବର୍ଷଧରି ବାଳିକା ଛାତ୍ରୀନିବାସରେ ଥିବା କ୍ୱାର୍ଟର୍ସରେ ରହି ଆସୁଥିଲେ। ଗତ ରାତିରେ ସେ ମଦ୍ୟପାନ କରି ବିଦ୍ୟାଳୟ ପରିସରରେ ଥିବା କ୍ୱାର୍ଟର୍ସକୁ ଆସିଥିଲେ। ଗୁରୁବାର ରାତି ୧୨ଟାରେ ଛାତ୍ରୀନିବାସରେ ଥିବା ଉକ୍ତ ଛାତ୍ରୀଙ୍କୁ କ୍ୱାର୍ଟର୍ସକୁ ଡାକି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପରେ ଉକ୍ତ ଛାତ୍ରୀଙ୍କୁ ଶିକ୍ଷକ ଜଣକ ରାତି ୧୨ଟାରୁ ୩ ଘଣ୍ଟା ଅଟକ ରଖିଥିବା ବେଳେ ସେ କାନ୍ଦିକାନ୍ଦି ଆସି ଛାତ୍ରୀନିବାସ ଦାୟିତ୍ୱରେ ଥିବା ମାଟ୍ରନଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ମାଟ୍ରନ ଏବଂ ୱାଡେନ ଏ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ଖବର ପାଇ ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚତ୍ ଶିକ୍ଷକଙ୍କୁ ପୋଲିସ ଜିମା ଦେଇଥିଲେ। ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଦାଗ ରହିଥିବା ବେଳେ ଏ ବିଷୟରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଶିକ୍ଷକ ଧମକ ଦେଇଥିଲେ ବୋଲି ଛାତ୍ରୀ ଜଣଙ୍କ ତାଙ୍କ ସମ୍ପର୍କୀୟଙ୍କୁ କହିଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲା ମଙ୍ଗଳ ଅଧିକାରୀଙ୍କ ସହ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଉକ୍ତ ବିଦ୍ୟାଳୟରେ ପହଞ୍ଚତ୍ ତଦନ୍ତ କରିଥିବା ଜଣାପଡ଼ିଛି।

Share