Categories: ଜାତୀୟ

ହାଥରସ୍‌ ଦଳାଚକଟା ଘଟଣାରେ ବଡ଼ ବୟାନ ଦେଲେ ଭୋଲେ ବାବାଙ୍କ ଓକିଲ, କହିଲେ…

ହାଥରସ୍‌,୭ା୭: ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ନାରାୟଣ ହରି ଛଦ୍ମନାମ ବାବା ସୁରଜପାଲଙ୍କ ଓକିଲ ଏପି ସିଂ ଏକ ବଡ଼ ଦାବି କରିଛନ୍ତି। ହାଥରସ୍‌ ଦୁର୍ଘଟଣା ପଛରେ ଏକ ନୂଆ କାରଣ କହିଛନ୍ତି। ସେ କହିଛନ୍ତି, ନାରାୟଣ ହରିଙ୍କ ସମାବେଶକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ତାଙ୍କ ସମର୍ଥକଙ୍କ ମଧ୍ୟରେ ଭୋଲେ ବାବା ନାମରେ ଜଣାଶୁଣା ସୁରଜପାଲଙ୍କ ଓକିଲ ଏପି ସିଂ କହିଛନ୍ତି କିଛି ଲୋକଙ୍କ ଉପରେ ବିଷାକ୍ତ ସ୍ପ୍ରେ ହୋଇଥିଲା। ଯେଉଁଥିପାଇଁ ଲୋକଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହି କାରଣରୁ ସେଠାରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ସେ କହିଛନ୍ତି, ଘଟଣା ପୂର୍ବରୁ ଏବଂ ପରେ ରାସ୍ତାର ସିସିଟିଭି ଫୁଟେଜ୍‌ ଜବତ କରାଯିବା ଉଚିତ। ଏହି ମାମଲାରେ ଏସ୍‌ଆଇଟି ଅନୁସନ୍ଧାନ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହି ଘଟଣା ଘଟାଇଥିବା ଲୋକମାନେ ସେଠାରୁ ଗାଡ଼ିରେ ଫେରାର ହୋଇଯାଇଥିଲେ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ପୋଲିସ ହାଥରସ୍‌ର ଏକ ‘ସତ୍‌ସଙ୍ଗ’ରେ ଘଟିଥିବା ଦଳାଚକଟାର ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମଧୁକରଙ୍କୁ ଗିରଫ କରିଛି। ଦଳାଚକଟାରେ ୧୨୧ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ। ପୋଲିସ ମୁଖ୍ୟ ସେବକ ତଥା ଅଭିଯୁକ୍ତ ମଧୁକରଙ୍କ ନାମରେ ଏଫ୍‌ଆଇଆର ଦାୟର କରିଛି। ଏହାପୂର୍ବରୁ ମଧୁକରଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଦଳାଚକଟାରେ ୬ ଜଣଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ପୋଲିସ ମଧୁକରଙ୍କୁ ଗିରଫ କରିଥିଲା। ଏହି ସମସ୍ତ ୬ ଜଣ ସତ୍‌ସଙ୍ଗ ଆୟୋଜକ କମିଟିର ସଦସ୍ୟ ଥିଲେ। ଜୁଲାଇ ୨ରେ ଆତ୍ମଘୋଷିତ ଭାବାବ ତଥା ପ୍ରଚାରକ ନାରାୟଣ ସାକାର ହରି ଛଦ୍ମନାମ ‘ଭୋଲେ ବାବା’ଙ୍କ ସତ୍‌ସଙ୍ଗରେ ଦଳାଚକଟା ହୋଇଥିଲା।

Share