Categories: ଜାତୀୟ

ସୁପ୍ରିମକୋର୍ଟରେ ପହଞ୍ଚିଲା ହାଥରସ ଦଳାଚକଟା ଘଟଣା, ଏପଟେ ଭୋଲେ ବାବା ନିଖୋଜ

ହାଥରସ,୩।୭: ଉତ୍ତରପ୍ରଦେଶର ହାଥରସ ଜିଲାରେ ଏକ ସତସଙ୍ଗ ସମୟରେ ଭୟଙ୍କର ଦଳାଚକଟା ଘଟିଛି। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୧୨୧ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେପଟେ ଦୁର୍ଘଟଣା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆଇନଜୀବୀ ବିଶାଲ ତିୱାରୀ ଏହି ଆବେଦନ କରିଛନ୍ତି। ହାଥରସ ଦୁର୍ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ଏବଂ ଆତ୍ମଘୋଷିତ ଭୋଲେ ବାବା ନିଖୋଜ ଅଛନ୍ତି।

ଦାଖଲ ହୋଇଥିବା ଆବେଦନରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ଏବଂ ଯାଞ୍ଚ କରିବାକୁ ଦାବି କରାଯାଇଛି। ଭବିଷ୍ୟତରେ ଏପରି ଘଟଣା ଯେପରି ନ ହୁଏ ସେଥିପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶାବଳୀ ଜାରି କରାଯିବା ଉଚିତ ବୋଲି ଆବେଦନରେ କୁହାଯାଇଛି। ଏଥିସହ ଘଟଣାସ୍ଥଳରେ ଚିକିତ୍ସା ସୁବିଧା ସମ୍ପର୍କରେ କ’ଣ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ତଦନ୍ତ କରାଯିବାକୁ ଦାବି କରାଯାଇଛି।

ଘଟଣାକୁ ନେଇ ପୋଲିସ ଦ୍ୱାରା ଏଫଆଇଆର ରୁଜୁ ହୋଇଛି। କିନ୍ତୁ ଏହି ଏଫଆଇଆରେ ମୁଖ୍ୟ ସେବାଦାରଙ୍କ ସମେତ ଅନ୍ୟ ଅଜ୍ଞାତ ଆୟୋଜକଙ୍କ ନାମ ଉଲ୍ଲେଖ କରାଯାଇଛି, କିନ୍ତୁ ସତସଙ୍ଗ କରିଥିବା ଭୋଲେ ବାବାଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ। ଯଦି ତାଙ୍କୁ ଅଭିଯୁକ୍ତ ବୋଲି ଅଭିହିତ କରାଯାଇ ନାହିଁ, ତେବେ ବାବା ପୋଲିସର ସୁରକ୍ଷା ଅଧୀନରେ ନିଖୋଜ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି।

Share