ନାବାଳିକା ଅସଦାଚରଣ ମାମଲା, ଦୋଷୀଙ୍କୁ ୩ ବର୍ଷ ଜେଲ

ବାଲେଶ୍ୱର, ୭।୭(ମାନସ ବିଶ୍ୱାଳ): ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଅଭିଯୁକ୍ତ ଜାକିର ଖାଁ (୨୨)ଙ୍କୁ  ୩ ବର୍ଷ ଜେଲ ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
୨୦୧୪ ମେ’ ୨୭ ତାରିଖରେ ପୀଡ଼ିତାଙ୍କ ମା’ବାପା ଘରେ ନ ଥିବା ବେଳେ ଜାକିର ତାଙ୍କୁ ଘରୁ ଡାକି ନେଇଥିଲେ। ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ହେଲେ ସେ ରାଜି ନ ହେବାରୁ ବଳାତ୍କାର ଉଦ୍ୟମ କରୁଥିବା ବେଳେ ସମ୍ପୃକ୍ତ ନାବାଳିକା ଚିତ୍କାର କରିଥିଲେ। ଏହି ସମୟରେ ଗ୍ରାମବାସୀ ପହଞ୍ଚତ୍ୟିବାରୁ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଧରି ବସ୍ତା ଥାନା ଜିମା ଦେଇଥିଲେ। ୭ ସାକ୍ଷ୍ୟ ଓ ୧୮ ଦସ୍ତାବିଜ୍‌କୁ ଆଧାର କରି କୋର୍ଟ ଅଭିଯୁକ୍ତଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ।