Categories: ଜାତୀୟ

ଦେଶରେ ବଢୁଛି ନୂଆ କୋଭିଡ୍‌ ଷ୍ଟ୍ରେନ

ନୂଆଦିଲ୍ଲୀ,୪।୧: ଦେଶର ବିଭିନ୍ନ ସ୍ଥାନରୁ ସୋମବାର କୋଭିଡ୍‌-୧୯ ନୂତନ ଷ୍ଟ୍ରେନର ୯ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ନୂତନ ଷ୍ଟ୍ରେନ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ୩୮ଟି ମାମଲା ମଧ୍ୟରୁ ୧୦ଟି ବେଙ୍ଗାଲୁରୁରେ ଚିହ୍ନଟ ହୋଇଥିବା ବେଳେ ୩ଟି ହାଇଦ୍ରାବାଦ, ୫ଟି ପୁଣେ, ୧୯ଟି ଦିଲ୍ଲୀ ଏବଂ ଗୋଟିଏ କୋଲକାତାରେ ଚିହ୍ନଟ ହୋଇଛି। ଦିଲ୍ଲୀରେ ବଢୁଥିବା ସଂଖ୍ୟା ଦେଶବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଅନ୍ୟପକ୍ଷେ ଭୁବନେଶ୍ୱରରୁ ପରୀକ୍ଷା ପାଇଁ ଯାଇଥିବା ସମସ୍ତ ନମୁନା ନେଗେଟିଭ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରାତ୍ରି ମଧ୍ୟରେ ବ୍ରିଟେନରୁ ବିଭିନ୍ନ ଭାରତୀୟ ବିମାନବନ୍ଦରରେ ପ୍ରାୟ ୩୩,୦୦୦ ଯାତ୍ରୀ ଅବତରଣ କରିଥିଲେ। କରୋନା ଭାଇରସର ନୂତନ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସରକାର ବ୍ରିଟେନ ଏବଂ ଭାରତ ମଧ୍ୟରେ ବିମାନ ଚଳାଚଳକୁ ସ୍ଥଗିତ କରିଥିଲେ। ହେଲେ ଜାନୁୟାରୀ ୬ତାରିଖରୁ ପୁଣି ଦୁଇ ଦେଶ ମଧ୍ୟରେ ବିମାନ ଯାତ୍ରା ଆରମ୍ଭ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Share