ପୁରୁଷୋତ୍ତମପୁର,୨୩।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଠାରେ ଥିବା କାଜୁ ଫ୍ୟାକ୍ଟ୍ରିରେ କୋଭିଡ୍ ଆଇନକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରି ଶତାଧିକ ମହିଳା ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯାଉଥିବା ବେଳେ ଏହି ଫ୍ୟାକ୍ଟ୍ରି ଉପରେ ପୁରୁଷୋତ୍ତମପୁର ପୋଲିସ ଏଏସ୍ଆଇ ରବିନ୍ଦ୍ରନାଥ ପାଣିଗ୍ରାହୀ ସଦଳବଳ ଚଢ଼ାଉ କରିଥିଲେ। ଶ୍ରମିକମାନେ ମାସ୍କ ପିନ୍ଧି ନ ଥିବା ବେଳେ ସାମାଜିକ ଦୂରତା ସହ କୋଭିଡ ଆଇନର ଉଲ୍ଲଂଘନ କରାଯାଇଥିବା ନେଇ ପୁରୁଷୋତ୍ତମପୁର ତହସିଲଦାରଙ୍କୁ ଜଣାଇଥିଲେ। ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ଓ ଗୋଲକବିହାରୀ ସାହାଣୀ ଘଟଣାସ୍ଥଳକୁ ଯାଇ ଦେଖିଥିଲେ। ଅତିରିକ୍ତ ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ କାଜୁ ଫ୍ୟାକ୍ଟ୍ରିକୁ ସିଲ୍ କରିଛନ୍ତି। ମାଲିକ ରମ୍ଭା ଥାନା ଅନ୍ତର୍ଗତ କାଠଗଡ଼ାର ମଦନ ମୋହନ ପଣ୍ଡା ବୋଲି ଜଣାପଡ଼ିଛି। ସେ ସେଠାରେ ନ ଥିବା ବେଳେ ଗୁମାସ୍ତା ଭାବେ କାର୍ଯ୍ୟ କରୁଥିବା କୋଳାସିଙ୍ଗି ଗ୍ରାମର ରାଜେନ୍ଦ୍ର ସାହୁଙ୍କୁ ଧରି ଥାନାକୁ ଆଣିଛନ୍ତି।