ଯେଉଁ ଜାତିର ଜନସଂଖ୍ୟା ଯେତେ, ସେମାନଙ୍କୁ ଭାଗ ମିଳୁ ସେତେ:ରାମ ମୂର୍ତ୍ତି

ଭୁବନେଶ୍ୱର,୨୭ା୨(ସୁନିତ୍‌ ମିଶ୍ର):ଓଡ଼ିଶାର ବିଭିନ୍ନ ଜିଲାରୁ ଆସିଥିବା ଦଳିତ ବର୍ଗର ପ୍ରତିନିଧିଙ୍କୁ ନେଇ ସୋମବାର ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ୟ ସମ୍ମିଳନୀ ସ୍ଥାନୀୟ ଭଗତୀ ଭବନ ସମ୍ମିଳନୀ କକ୍ଷରେ କେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସମ୍ମିଳନୀ ପ୍ରାରମ୍ଭରେ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ସର୍ଭାରତୀୟ ସଭାପତି କେ.ରାମ ମୁର୍ତ୍ତି ସଙ୍ଗଠନର ପତାକା ଉତ୍ତୋଳନ କରି ଆମ ଭାରତୀୟ ସମାଜରେ ଥିବା ଘୃଣ୍ୟ ଜାତିବାଦ ସମ୍ପର୍କରେ ଆଲୋଚନା କରିବା ସହ ଯେଉଁ ଜାତିର ଜନସଂଖ୍ୟା ଯେତେ- ସେମାନଙ୍କୁ ଭାଗ ସେତେ ଦିଆଯାଉ ବୋଲି ସେ ଆହ୍ବାନ ଦେଇଛନ୍ତି।
ଏହି ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ କମ୍ରେଡ୍‌ ଅଭୟ ସାହୁ ଉଦଘାଟନ କରି ସମଗ୍ର ଦେଶରେ ମଣ୍ଡଳ କମିଶନ ସୁପାରିଶ କାର୍ଯ୍ୟକାରୀ ହେବା ବେଳେ ଓଡ଼ିଶାରେ ବିଜେଡି ସରକାର ଆଦିବାସୀ, ଦଳିତ ଓ ପଛୁଆ ବର୍ଗଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରି ରଖିଛନ୍ତି। ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇ ଜାତିଭିତ୍ତିକ ଜନଗଣନା ପାଇଁ ରାଜ୍ୟବ୍ୟାପୀ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଛନ୍ତି। ଏଆଇଏସ୍‌ଏଫ୍‌ ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା କହିଛନ୍ତି, ଜାତୀୟ ଶିକ୍ଷାନୀତି-୨୦୨୦ ଶୋଷଣ ଓ ଅତ୍ୟାଚାରକୁ ବଳବତ୍ତର ରଖିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ଉତ୍କଳ ମହିଳା ସମିତି ସଭାପତି ପ୍ରମୋଦିନୀ ପାଇକରାୟ, ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦୋଶିଷ ପରିଜା ଉଦବୋଧନ ଦେଇ ସମ୍ମିଳନୀର ସଫଳତା କାମନା କରିଛନ୍ତି। ଏହି ସମ୍ମିଳନୀରେ ୨୦ ଜଣରୁ ଅଧିକ ସାଥୀ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ ଦାବି ନେଇ ଶକ୍ତିଶାଳୀ ଦଳିତ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଏକ ୧୩ ଜଣିଆ ରାଜ୍ୟ କମିଟି ଗଠନ କରାଯାଇଛି।

Share