କୁକୁର ମୁହଁକୁ ଫିଙ୍ଗିଦେଲେ ବିଲେଇ ଛୁଆ

ଭୁବନେଶ୍ୱର,୧୭ା୫(ବ୍ୟୁରୋ):ଘରେ ପିଶିଯିବାରୁ ବିଲେଇ ଛୁଆଙ୍କୁ କୁକୁର ମୁହଁକୁ ଫିଙ୍ଗିଦେଲେ। କୁକୁରମାନେ ମା’ ଆଗରେ ବିଲେଇ ଛୁଆଙ୍କୁ ଝୁଣିଝୁଣି ଖାଇଗଲେ। ରବିବାର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଏଭଳି ନିଷ୍ଠୁରତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା (ନଂ.୧୧୬/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ରହୁଥିବା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରକୁ ପ୍ରତିଦିନ ୩ ବିଲେଇ ଛୁଆ ମା’ ସହିତ ଯିବାଆସିବା କରନ୍ତି। ଏହାକୁ ନେଇ କର୍ମଚାରୀ ଜଣକ ଅନେକ ସମୟରେ ବିରକ୍ତିଭାବ ପ୍ରକାଶ କରିବା ସହ ଆକ୍ରମଣ କରି ଘଉଡାଇ ଦେଇଥାନ୍ତି। ହେଲେ ପୋଷା ବିଲେଇ ହୋଇଥିବାରୁ ପୁଣି ଘରେ ପଶିଥାନ୍ତି। ଗତ ୧୩ ତାରିଖ ସକାଳୁ ମା’ ବିଲେଇ ସହ ୩ ଛୁଆଙ୍କୁ ଦେଖି ସେ ରାଗିଯାଇଥିଲେ। ଏହାପରେ ବିଲେଇ ଛୁଆଙ୍କୁ ଘର ବାହାରେ ବୁଲୁଥିବା କୁକୁର ସାମ୍ନାରେ ଫୋପାଡି ଦେଇଥିଲେ। ଗୋଟିଏ ବିଲେଇ ଛୁଆ ଖସି ପଳାଇଥିବାବେଳେ ଅନ୍ୟ ଦୁଇ ଛୁଆ କୁକୁର ମୁହଁରୁ ରକ୍ଷା ପାଇପାରି ନ ଥିଲେ। ଦେଖୁଦେଖୁ ଦୁଇ ଛୁଆ ବିଲେଇଙ୍କୁ କୁକୁରମାନେ ଘେରିଯାଇ ଝୁଣି ଝୁଣି ଖାଇଦେଇଥିଲେ। ତେବେ ସେହି ବାଟ ଦେଇ ପ୍ରାତଃଭ୍ରମଣରେ ଯାଉଥିବା ଗୌରବ ଉଦ୍‌ଗାତା ଏସବୁ ଘଟଣାକୁ ଦେଖି ସହ୍ୟ କରିପାରି ନ ଥିଲେ। ସେ ଉକ୍ତ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ରବିବାର ସେ ଇନ୍‌ଫୋସିଟି ଥାନାକୁ ଖବର ଦେବାରୁ ପୋଲିସ ଯାଇ ତାଙ୍କ ନିକଟରୁ ଅଭିଯୋଗ ଗ୍ରହଣ କରିଥିଲା।

Share