Categories: ବାଣିଜ୍ୟ

ୟୁନିଟେକ୍‌ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁକଲା ସିବିଆଇ

ନୂଆଦିଲ୍ଲୀ: କାନାରା ବ୍ୟାଙ୍କ ଠକେଇ ମାମଲାରେ ୟୁନିଟେକ୍‌ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ସଞ୍ଜୟ ଚନ୍ଦ୍ରାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲା ରୁଜୁ କରିଛି। ଏହି ମାମଲାରେ ସଞ୍ଜୟଙ୍କ ପିତା ରମେଶ ଏବଂ ଭାଇ ଅଜୟଙ୍କୁ ମଧ୍ୟ ସିବିଆଇ ତଦନ୍ତ ପରିସରଭୁକ୍ତ କରିଛି। ଏମାନେ କାନାରା ବ୍ୟାଙ୍କରୁ ୧୯୮ କୋଟି ଟଙ୍କାର ଠକେଇ କରିଛନ୍ତି। ଏହି ମାମଲାରେ ସିବିଆଇ ଚନ୍ଦ୍ରାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ପ୍ରାୟ ୪୩ ମାସ ତିହାର ଜେଲରେ ରହିବା ପରେ ସଞ୍ଜୟ ଚନ୍ଦ୍ରା ନିକଟରେ ଜାମିନରେ ଆସିଥିଲେ। ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିକଟରେ ତାଙ୍କୁ ଏଭଳି ଜାମିନ ଦେଇଥିଲେ। ୟୁନିଟେକ୍‌ ବିରୋଧରେ ସିବିଆଇ, ଇଡି ଏବଂ ଦିଲ୍ଲୀ ପୋଲିସ ଭଳି ଏଜେନ୍ସିଗୁଡିକ ବର୍ତ୍ତମାନ ତଦନ୍ତ ଜାରି ରଖିଛନ୍ତି। ୨ଜି ସ୍ପେକ୍ଟ୍ରମ ଆଲୋକେଶନ କ୍ଷେତ୍ରରେ ମଧ୍ୟ ଚନ୍ଦ୍ରାଙ୍କର ଭୂମିକା ରହିଥିବା ଅଭିଯୋଗ ଆସିଛି। କର୍ପୋରେଟ ଏବଂ ପର୍ସନାଲ ଗ୍ୟାରେଣ୍ଟିରେ ଚନ୍ଦ୍ରା କାନାରା ବ୍ୟାଙ୍କରୁ ଋଣ ନେଇଥିଲେ। ମାତ୍ର ବଜାରରେ ହାଉସିଂ ଚାହିଦା କମିବାରୁ କମ୍ପାନୀ ଋଣ ଶୁଝିବାରେ ବିଭିନ୍ନ ସମସ୍ୟା ସାମ୍ନା କରିଥିଲା।

Share