Categories: ଜାତୀୟ

ଜାରି ରହିବ ସିବିଆଇ ତଦନ୍ତ

ନୂଆଦିଲ୍ଲୀ, ୧୨।୩: ସନ୍ଦେଶଖାଲି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ବ୍ୟୁରୋ(ସିବିଆଇ)ର ତଦନ୍ତ ବିରୋଧରେ ସୁପ୍ରିିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପଶ୍ଚିମବଙ୍ଗ ସରକାରଙ୍କୁ ସୋମବାର ଝଟକା ଲାଗିଛି। ସନ୍ଦେଶଖାଲିରେ ଗତ ଜାନୁଆରୀ ୫ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟିମ୍‌ ଉପରେ ହେଇଥିବା ଆକ୍ରମଣ ମାମଲାରେ ସିବିଆଇ ଯାଞ୍ଚ ନେଇ ପୂର୍ବରୁ କାଲ୍‌କାଟା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଶାହାଜାହାନ ଶେଖ୍‌ଙ୍କ ହେପାଜତକୁ ସିବିଆଇକୁ ହସ୍ତାନ୍ତର କରିବା ନେଇ ପୂର୍ବରୁ କାଲ୍‌କାଟା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ହସ୍ତକ୍ଷେପ କରିବାକୁ ଜଷ୍ଟିସ ବି. ଆର୍‌. ଗବାଇ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅସ୍ବୀକାର କରିଛନ୍ତି। ୫୦ ଦିନ ଧରି ମାମଲାର ମୁଖ୍ୟ ଅଭିଯୁକ୍ତ ଶାଜହାନ ଶେଖ୍‌ଙ୍କୁ ଧରିବାକୁ ରାଜ୍ୟ ପୋଲିସ କାହିଁକି ବିଫଳ ହୋଇଥିଲା ବୋଲି ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ତେବେ ଉଚ୍ଚ ନ୍ୟାୟାଳୟଙ୍କ ରାୟରେ ରାଜ୍ୟ ପୋଲିସ ଓ ସରକାରଙ୍କ ବିରୋଧରେ ଦିଆଯାଇଥିବା କଡ଼ା ମନ୍ତବ୍ୟକୁ ହଟାଇବାକୁ ସର୍ବୋଚ୍ଚ କୋର୍ଟ ସହମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ବସିର୍‌ହାଟ୍‌ ସବ୍‌ଡିଭିଜନାଲ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାର ମୁଖ୍ୟ ଅଭିଯୁକ୍ତ ଶାଜହାନ ଶେଖ୍‌ ୪ ଦିନିଆ ସିବିଆଇ ହେପାଜତରେ ରହିଛନ୍ତି।

Share