ପୁରୁଣା ଫାଇଲ ଖୋଲିବ ସିବିଆଇ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଓରଫ ବିବନ(ଭିକେ)ଙ୍କୁ ଦୀର୍ଘ ୨୨ବର୍ଷ ପରେ କମିଶନରେଟ୍‌ ପୋଲିସ ସୋମବାର ଗିରଫ କରିଛି। ଯେହେତୁ ଉକ୍ତ ମାମଲାର ତଦନ୍ତ ସିବିଆଇ କରୁଥିଲା, ତେଣୁ କମିଶନରେଟ୍‌ ପୋଲିସ ବିବନଙ୍କୁ ସିବିଆଇ ସ୍ବତନ୍ତ୍ର ଅଦାଲତରେ ହାଜର କରିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଥିବାରୁ ସିବିଆଇ ଏବେ ଏହି ମାମଲାର ପୁରୁଣା ଫାଇଲ ଖୋଲିବାକୁ ତତ୍ପର ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ସିବିଆଇ ଅଧିକାରୀ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଭେଟି ଆଲୋଚନା କରିଛନ୍ତି। ମଙ୍ଗଳବାର ସିବିଆଇର ଏକ ୨ ଜଣିଆ ଟିମ୍‌(ଜଣେ ଅଧିକାରୀ ଓ ଜଣେ ଓକିଲ) କମିଶନରଙ୍କୁ ଭେଟିଛନ୍ତି। ବିବନଙ୍କ ଗିରଫଦାରି ଓ ଅପରେଶନ ସାଇଲେଣ୍ଟ ଭାଇପର ପ୍ରସଙ୍ଗରେ ସମସ୍ତ ତଥ୍ୟ ନେଇଛନ୍ତି। ଏଥିସହିତ ବିବନଙ୍କୁ କେବେ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ସେନେଇ ବୁଧବାର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ତେବେ ଯେ କୌଣସି ସମୟରେ ତଦନ୍ତରେ ପୋଲିସ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଥିବା କମିଶନର ଷଡ଼ଙ୍ଗୀ ସିବିଆଇକୁ କହିଛନ୍ତି।
ଅନ୍ୟପକ୍ଷେ ଘଟଣା ପରେ ବିବନ କ୍ରାଇମ୍‌ବ୍ରାଞ୍ଚକୁ ଚକମା ଦେଇ ଖସିଯିବା ଓ ୨୨ବର୍ଷ ଧରି ସିବିଆଇ ଆଖିରେ ଧୂଳିଦେଇ ସାଧାରଣ ଲୋକଙ୍କ ଭଳି ବଞ୍ଚିବା ସହଜ କଥା ନୁହେଁ ବୋଲି ଅଞ୍ଜନା କହିଛନ୍ତି। ବିବନଙ୍କୁ ଫେରାର କରିବା ପଛରେ ଅନ୍ୟମାନଙ୍କ ହାତ ରହିଛି। ଫେରାର ହେବାରେ ତାଙ୍କୁ କିଏ ସାହାଯ୍ୟ କରିଥିଲେ ସେ ନେଇ ତଦନ୍ତ ହେବା ଦରକାର। ପ୍ରତିଶୋଧ ନେବା ପାଇଁ ତାଙ୍କୁ ଷଡ଼ଯନ୍ତ୍ରମୂଳକ ବଳାତ୍କାର କରାଯାଇଥିଲା। ବଳାତ୍କାର ସମୟରେ ବଳାତ୍କାରୀମାନେ ସେମାନଙ୍କ ନାଁ ନେଉଥିଲେ ବୋଲି ଅଞ୍ଜନା କହିଛନ୍ତି। ଏମିତିକି ପରବର୍ତ୍ତୀ ସମୟରେ ପାଟି ଚୁପ କରି ବସିବା ପାଇଁ ଧମକ୍‌ ମିଳିବା ସହ ତାଙ୍କ ଉପରକୁ ପଥର ମାଡ଼ ହେଉଥିଲା ବୋଲି ଅଞ୍ଜନା କହିଛନ୍ତି। ସିବିଆଇ ସେମାନଙ୍କୁ ଧରିବା ପାଇଁ ତଦନ୍ତ କରିବା ପରିବର୍ତ୍ତେ ଚୁପ ହୋଇ ବସିପଡ଼ିଥିଲା। ଏବେ ମୁଖ୍ୟ ଅଭିଯୁକ୍ତ ବିବନ ହାତରେ ଲାଗିବା ପରେ ସିବିଆଇ ଷଡ଼ଯନ୍ତ୍ରକାରୀଙ୍କ ବାବଦରେ ଅଧିକ ତଦନ୍ତ କରି ତାଙ୍କ ନାମ ବାହାରକୁ ଆଣୁ ବୋଲି ଅଞ୍ଜନା ଦାବି କରିଛନ୍ତି।
ସୂଚନା ଅନୁଯାୟୀ,ଅଞ୍ଜନା ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଧରିବା ପାଇଁ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ୪ଜଣିଆଟିମ୍‌ ଗଠନ କରାଯାଇଥିଲା। ୩ମାସ ତଳେ ଅପରେଶନ ‘ସାଇଲେଣ୍ଟ ଭାଇପର’ କରାଯାଇ ତଦନ୍ତ ସମୟରେ ବିବନ ମହାରାଷ୍ଟ୍ର ପୁଣେସ୍ଥିତ ଆମ୍ବିଭ୍ୟାଲିରେ ନାମ ପରିବର୍ତ୍ତନ କରି ରହୁଥିବା ଜାଣିବାକୁ ମିଳିଥିଲା। ବିବନ ସେଠାରେ ଜଳନ୍ଧର ନାମରେ ରହିବା ସହ ଏହି ନାମରେ ସ୍ଥାୟୀ ଚାକିରି, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲିଥିଲେ। ଏହା ପରେ କମିଶନରେଟ୍‌ ପୋଲିସର ଏକ ଟିମ୍‌ ସେଠାକୁ ଯାଇ ବିବନଙ୍କୁ କାବୁ କରି ଓଡ଼ିଶା ଆଣିଥିଲା। ପରେ ତାଙ୍କୁ ଗିରଫ କରାଯାଇ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

Share