ଫେବୃୟାରୀରେ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ହେବନି

ଭୁବନେଶ୍ୱର, ୨୩ା୧୨(ବ୍ୟୁରୋ): କରୋନାର ନୂଆ ଷ୍ଟ୍ରେନ୍‌କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀରେ ହେବାକୁ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି। ଏ ନେଇ ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଶିକ୍ଷକଙ୍କ ସହିତ ଆଲୋଚନା କରି ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି। ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଫେବୃୟାରୀରେ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପୋଖରିଆଲ କହିଛନ୍ତି, ପରୀକ୍ଷାକୁ ବାତିଲ କରି ପାସ୍‌ କରିଦେଲେ ତାହା ପିଲାମାନଙ୍କ ପ୍ରତି ଅବିଚାର ହେବ। କାରଣ ଭବିଷ୍ୟତରେ ସେମାନଙ୍କୁ କୋଭିଡ୍‌ ସମୟର ପିଲା ବୋଲି କୁହାଯାଇପାରେ। ଏହା ସେମାନଙ୍କୁ ଉଚ୍ଚ ଶିକ୍ଷା, ଚାକିରି ଆଦି ବେଳେ ସମସ୍ୟାରେ ପକାଇପାରେ। ତେଣୁ ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ। ପରୀକ୍ଷା ନିଶ୍ଚିତ ହେବ, ଅଫ୍‌ଲାଇନ୍‌ ମୋଡ୍‌ରେ ହିଁ ହେବ। ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି। ପିଲାଙ୍କ ଉପରେ ଚାପ କମ୍‌ କରିବାକୁ ଏଥର ସିବିଏସ୍‌ଇ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍‌କୁ ପ୍ରାୟ ୩୦ ପ୍ରତିଶତ ହ୍ରାସ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଅନ୍‌ଲାଇନ୍‌ ଶିକ୍ଷା, ବୋର୍ଡ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ମୂଲ୍ୟାଙ୍କନ, ଶିକ୍ଷକଙ୍କ ଟ୍ରେନିଂ ଏବଂ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ ସମସ୍ୟାକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଦେଶର ହଜାର ହଜାର ଶିକ୍ଷକ ଭାଗ ନେଇଥିଲେ।
ଅନ୍ୟପଟେ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ଏବେ ଅନିଶ୍ଚିତତା ଜାରି ରହିଛି। ଯଦିଓ ପରୀକ୍ଷା ନିଶ୍ଚିତ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, କିନ୍ତୁ କେବେ ହେବ ତାହା କୁହାଯାଇ ନାହିଁ। ତେଣୁ ଏବେ ବି ପିଲାଙ୍କ ମନରେ ଦ୍ୱନ୍ଦ୍ୱ ରହୁଛି। କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ସବୁ ସ୍କୁଲ ଓ କଲେଜ ବନ୍ଦ ରହିଛି। ଅନ୍‌ଲାଇନ୍‌ ମାଧ୍ୟମରେ ପାଠପଢ଼ା ଜାରି ରହିଥିଲେ ମଧ୍ୟ ପର୍ଯ୍ୟାପ୍ତ ହୋଇପାରୁ ନ ଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଚିନ୍ତାରେ ରହୁଛନ୍ତି।

Share