Categories: ଜାତୀୟ

ଅଭିନେତ୍ରୀ ଚିତ୍ରାଙ୍କ ମୃତ୍ୟୁର ତଦନ୍ତ କରିବ ସିସିବି

ମୁମ୍ବାଇ,୭।୧: ଲୋକପ୍ରିୟ ତାମିଲ ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ମୃତ୍ୟୁର ତଦନ୍ତ ଭାର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ(ସିସିବି)କୁ ଗୁରୁବାର ହସ୍ତାନ୍ତର କରାଯାଇଛି। ୨୦୨୦ ଡିସେମ୍ବର ୯ରେ ପୋଲିସ ଏକ ହୋଟେଲ ରୁମରୁ ଅଭିନେତ୍ରୀ ଚିତ୍ରାଙ୍କ ମୃତଦେହ ଜବତ କରିଥିଲା। ଅନ୍ୟ ଏକ ମାମଲାରେ ଚିତ୍ରାଙ୍କ ସ୍ବାମୀଙ୍କୁ ଗିରଫ କରିବା ପରେ ଚିତ୍ରାଙ୍କ ମୃତ୍ୟୁ ମାମଲା ହାତକୁ ନେଇଛି ସିସିବି। ଚେନ୍ନାଇ ପୋଲିସ କମିଶନର ମହେଶ କୁମାର ଅଗ୍ରୱାଲ ଏହି ମାମଲା ହସ୍ତାନ୍ତର କରିଛନ୍ତି।
ସୂଚନା ଯୋଗ୍ୟ, ଚିତ୍ରାଙ୍କ ସ୍ବାମୀ ହେମନାଥ ୩ ଜଣ ଛାତ୍ରଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ନେଇ ୨୦୧୪ରେ ଆଶା ମନୋହରନ ନାମକ ଜଣେ ଛାତ୍ର ଏହି ଅଭିଯୋଗ କରିଥିଲେ। ଅଭିଯୋଗ ପତ୍ରରେ ସେ ଦର୍ଶାଇଛନ୍ତି ଯେ, ୨୦୧୧ରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଡମିଶନ ପାଇବା ପାଇଁ ସେ ଏବଂ ଅନ୍ୟ ଦୁଇଜଣ ଛାତ୍ର ହେମନାଥଙ୍କୁ ୩୫ ଲକ୍ଷ ଟଙ୍କା ଲେଖାଏଁ ଦେଇଥିଲେ। ହେଲେ ଆଡମିଶନ ମିଳି ନ ଥିଲା। ଏନେଇ ସେମାନେ ଟଙ୍କା ଫେରସ୍ତ କରିବାକୁ ହେମନାଥଙ୍କୁ ଅନୁରୋଧ କରିଥିଲେ। ହେଲେ ସେ ଟଙ୍କା ପରିଶୋଧ କରି ନ ଥିଲେ। ଏହି ମାମଲା ୨୦୧୫ରେ ସିସିବିକୁ ହସ୍ତାନ୍ତର କରାଯାଇଥିଲା। ହେମନାଥଙ୍କୁ ଗିରଫ କରାଯିବା ପରେ ଚିତ୍ରାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ସିସିବିକୁ ହସ୍ତାନ୍ତର କରାଯାଇଛି।

Share