ଆକଳନ କରିପାରୁ ନାହାନ୍ତି ସିଡିଏମ୍‌ଓ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କୋଭିଡ୍‌-୧୯ର ଦ୍ୱିତୀୟ ଲହର ସମଗ୍ର ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟରେ ଗୁରୁତର ସଂକ୍ରମିତଙ୍କୁ ବଞ୍ଚାଇବା ପାଇଁ ଆବଶ୍ୟକ ମେଡିକାଲ୍‌ ଅକ୍ସିଜେନ ମିଳୁନାହିଁ। ଗତ କିଛିଦିନ ହେବ ଓଡ଼ିଶାରେ ମଧ୍ୟ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରି କି ରାଜ୍ୟର ଅନେକ ହସ୍ପିଟାଲରେ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନର ଅଭାବ ଦେଖାଦେଲାଣି। ଏଭଳି ସ୍ଥିତିରେ ଦିଲ୍ଲୀ ଓ ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଚକିତ କରିଛି। ଆଶ୍ଚର୍ଯ୍ୟର କଥା ହେଉଛି ଯେ, ହସ୍ପିଟାଲରେ କେତେ ପରିମାଣ ଅକ୍ସିଜେନ ଆବଶ୍ୟକ ଓ ଆଗାମୀ ଦିନରେ କେତେ ଦରକାର ହେବ, ସେନେଇ ଅଧିକାଂଶ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ)ମାନେ ମଧ୍ୟ ଠିକ୍‌ଭାବେ ଆକଳନ କରିପାରୁ ନାହାନ୍ତି। ପଚାରିଲେ ଉତ୍ତର ମିଳୁଛି, ଆମ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ଅଛି। ଭବିଷ୍ୟତ ପାଇଁ ଅଧିକ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦେଇଛୁ ବୋଲି କହୁଛନ୍ତି। ଏହି ପରିପ୍ରେକ୍ଷୀରେ ନିଜର ନାମ ଗୋପନ ରଖିବା ସର୍ତ୍ତରେ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ରାଜ୍ୟରେ ସଂକ୍ରମଣ ଦ୍ରୁତଗତିରେ ବଢୁଥିବାରୁ ଆଗାମୀ ଦିନରେ ଅନ୍ୟ ରାଜ୍ୟ ଭଳି ପରିସ୍ଥିତି ଯେ ନ ଉପୁଜିବ ତାହା କହିହେବ ନାହିଁ। ବାହାର ରାଜ୍ୟକୁ ଯୋଗାଇବା ପୂର୍ବରୁ ସରକାର ନିଜର ଭିତ୍ତିଭୂମିକୁ ନ ସଜାଡ଼ିଲେ ଭୟଙ୍କର ସ୍ଥିତି ଉପୁଜିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ସେତେବେଳେ ଅକ୍ସିଜେନ ଖୋଜା ପଡ଼ିବ। ତେବେ ଯାଜପୁରର ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟ ଭଳି ରାଜ୍ୟର ଆଉ କେତେକ ଅମ୍ଳଜାନ ଉତ୍ପାଦନ କାରଖାନା ଅଚଳ ହୋଇପଡ଼ିଥିବାରୁ ଭବିଷ୍ୟତରେ ରାଜ୍ୟର ଜରୁରୀ ଆବଶ୍ୟକତା ପୂରଣକୁ ହୋଇ ନ ପାରେ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଓଡ଼ିଶାରେ ଅକ୍ସିଜେନ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରହିଛି। ଏବେ ରାଜ୍ୟରେ ଜେନେରାଲ ବେଡ୍‌ରେ ୧୭୨୫ ଏବଂ ଆଇସିୟୁରେ ୪୧୨ ଜଣ ରୋଗୀ ଅଛନ୍ତି। ସେମାନଙ୍କ ପାଇଁ ଦିନକୁ ୨୩.୬୫ ମେଟ୍ରିକ ଟନ୍‌ ଅକ୍ସିଜେନ ଆବଶ୍ୟକ ହେଉଛି। ରାଜ୍ୟରେ ୫ଟି ବଡ଼ ଇସ୍ପାତ ଶିଳ୍ପ ସଂସ୍ଥା ଦ୍ୱାରା ଦିନକୁ ୩୭୫ ମେଟ୍ରିକ ଟନ୍‌ ଅକ୍ସିଜେନ ଉତ୍ପାଦନ ହେଉଛି। ତେଣୁ ପ୍ରାୟ ୩୫୦ ଏମ୍‌ଟି ବଳକା ରହୁଛି। ଯଦି ରାଜ୍ୟରେ ଅଧିକ ଆବଶ୍ୟକ ପଡ଼ିବ ତେବେ ଅନ୍ୟ ରାଜ୍ୟକୁ ଯୋଗାଣ ବନ୍ଦ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି।

Share